ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସକାଳେ ଚେନ୍ନାଇଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ଙ୍କୁ ଭେଟି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଦିଲ୍ଲୀ ଗସ୍ତରେ ଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।

ଚେନ୍ନାଇଠାରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ ବେଳେ ତାଙ୍କ ପୁଅ ତଥା ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଉପସ୍ଥିତ ଥିଲେ । ମନ୍ତ୍ରୀ ଅତନୁ ନିମନ୍ତ୍ରଣପତ୍ର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ହକି ଇଣ୍ଡିଆ ଟି-ସାର୍ଟ ଉପହାର ଦେଇଥିଲେ ।

ସେହିଭଳି ଦିଲ୍ଲୀଠାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ ବେଳେ ରାଜ୍ୟସଭାରେ ୱାଇଏସଆରସିପି ଦଳର ନେତା ବିଜୟ ସାଏ ରେଡ୍ଡୀ ଉପସ୍ଥିତ ଥିଲେ । କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ୍ ଏବଂ ଶ୍ରୀ ରେଡ୍ଡୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଥିଲେ ।







