ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଏବେ ୮୦ ବର୍ଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କଠାରୁ ମାତ୍ର ତିନିବର୍ଷ ବଡ଼ । ବିଜେଡି ଯଦି ସେମାନଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରେ ତେବେ କ’ଣ ହେବ? ବିଜେପି ଏହାକୁ ଉଚିତ ବୋଲି ଗ୍ରହଣ କରିବ କି? ନିଜ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଏଭଳି ବ୍ୟକ୍ତିଗତ ମନ୍ତବ୍ୟକୁ ବିଜେପି ସହ୍ୟ କରିବ କି? ନବୀନ ପଟ୍ଟନାୟକ ଏପରି ଜଣେ ରାଷ୍ଟ୍ରନାୟକ, ଯାହାଙ୍କ ସାର୍ବଜନୀନ ଜୀବନ ସରଳତା, ମର୍ଯ୍ୟାଦା ଏବଂ ଓଡ଼ିଶାବାସୀଙ୍କ ସେବା ପ୍ରତି ସମର୍ପଣ ଭାବନାରେ ପରିପୂର୍ଣ୍ଣ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ନେତା ହୁଅନ୍ତୁ କି ସାଧାରଣ ଜନତା । କିଏ କାହାରି ବୟସକୁ ନେଇ ଆକ୍ଷେପ କି ଉପହାସ କରିବା ମାନବୀୟ ସଂସ୍କୃତି ଓ ସଂସ୍କାର ନୁହେଁ । ଏଭଳି ଆଚରଣକୁ କଦାପି ‘ଓଡ଼ିଆ ଅସ୍ମିତା’ ବୋଲି କୁହାଯାଇପାରିବନି । ମାତ୍ର ଆମ ରାଜ୍ୟ ଓଡ଼ିଶାରେ ଏହାର ବିଲକ୍ଷଣ ଦେଖିବାକୁ ମିଳିଛି । ପାଞ୍ଚ ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସକୁ ଆକ୍ଷେପ କରିବା ବିଜେପି ନେତାମାନଙ୍କ ପାଇଁ ମୁଖ୍ୟ ଅସ୍ତ୍ର ହୋଇଛି । କିଛି ନ ପାଇଲେ ତାଙ୍କର ବୟସକୁ ଉପହାସ କରି ବୟାନବାଜି କରୁଛନ୍ତି ।
ଅନ୍ୟ ଅର୍ଥରେ କହିଲେ, ଶାସକ ଦଳର କିଛି ନେତାଙ୍କ ସଫ୍ଟ ଟାର୍ଗେଟ୍ ହୋଇଛି ନବୀନ ପଟ୍ଟନାୟକଙ୍କ ବୟସ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ପ୍ରଥମେ ଦିଲ୍ଲୀରେ ଗୁଜବ ତିଆରି କରିଥିଲେ ଦଳ ଛାଡ଼ିଥିବା ତାଙ୍କର ବିଶ୍ୱାସଘାତକ ବନ୍ଧୁ । ସେବେଠାରୁ ନବୀନଙ୍କ ସ୍ୱାସ୍ଥ୍ୟ ଓ ବୟସକୁ ନେଇ ଉତ୍ସବମୁଖର ହୋଇଥିଲେ ବିଜେପିର ସୋସିଆଲ୍ ମିଡିଆ ଆର୍ମି ବାହିନୀ । ତାତ୍ସଲ୍ୟଭରା କମେଣ୍ଟ ଦେଉଥିଲେ । ବୁଢ଼ା, ହଡ଼ା ଯିଏ ଯାହା ପାରିଲେ ଲେଖୁଥିଲେ । ନିର୍ଦ୍ଦିଷ୍ଟ କିଛି ତଥାକଥିତ ବରିଷ୍ଠ ସାମ୍ବାଦିକ ମଧ୍ୟ ନବୀନଙ୍କୁ ସେହି ଭାଷାରେ ଉପସ୍ଥାପିତ କରିବାକୁ ପଛାଇ ନ ଥିଲେ ।
ନବୀନ ବାବୁ ଏବେ ବିରୋଧୀ ଦଳରେ । ୮୦ ବର୍ଷ ବୟସରେ ମଧ୍ୟ ସେ ଫିଟ୍ ଆଣ୍ଡ ଫାଇନ୍ । ପ୍ରତ୍ୟେକ୍ଷ ଭାବେ ଦଳକୁ ସେ ଖାଲି ପରିଚାଳନା କରୁନାହାନ୍ତି, ସମ୍ପୂର୍ଣ୍ଣ କ୍ରିୟାଶୀଳ କରିଛନ୍ତି । ଏହା ପରେ ମଧ୍ୟ ଶାସକ ଦଳର କିଛି ନେତା ସମାଲୋଚନା ପାଇଁ ତାଙ୍କ ବୟସକୁ ଅସ୍ତ୍ର କରିଛନ୍ତି । ଆଜି ବିଜେଡି ଏହାକୁ ନିନ୍ଦା କରିବା ସହ ପାଲଟା ଜବାବ ଦେବାକୁ ଚେତାବନୀ ଦେଇଛି ।
ଦୁଇ ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଜେଲରୁ ତୁରନ୍ତ ମୁକ୍ତି ଦେବା ପାଇଁ ନବୀନଙ୍କ ଟୁଇଟ୍ କେବଳ ଓଡ଼ିଶା କାହିଁକି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାକୁ ସମର୍ଥନ ଅଜାଡ଼ି ହୋଇଯାଇଥିଲା । ମାତ୍ର ରାଜ୍ୟ ବିଜେପି ପକ୍ଷରୁ ଏଥିପାଇଁ ନବୀନଙ୍କୁ କଟୁ ସମାଲୋଚନା କରାଗଲା । ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଡ. ଯତୀନ ମହାନ୍ତି ପ୍ରସଙ୍ଗରୁ ହଟି ନବୀନଙ୍କ ବୟସକୁ ନେଇ ତାତ୍ସଲ୍ୟଭରା ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି ।
ବିଜେଡି ଗଣମାଧ୍ୟମ ସଂଯୋଜକ ଡ. ଲେଲିନ୍ ମହାନ୍ତି କହିଛନ୍ତି, ଦାୟିତ୍ୱପୂର୍ଣ୍ଣ ସାର୍ବଜନୀନ ପଦବୀରେ ଥିବା ବ୍ୟକ୍ତିଙ୍କ ପକ୍ଷରୁ ଏଭଳି ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ । ରାଜନୈତିକ ମତଭେଦ କେବେହେଲେ ବ୍ୟକ୍ତିଗତ ଆକ୍ଷେପ କିମ୍ୱା ବରିଷ୍ଠ ନେତାଙ୍କ ପ୍ରତି ଅସମ୍ମାନର କାରଣ ହେବା ଉଚିତ ନୁହେଁ । ନବୀନ ପଟ୍ଟନାୟକ ଜଣେ ଷ୍ଟେଟସ୍ ମ୍ୟାନ୍ । ତାଙ୍କ ଅନୁଗାମୀମାନେ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଦିଅନ୍ତି । ଦଶକ ଦଶକ ଧରି ଜନସେବାରେ ନିଜ ଜୀବନ ଉତ୍ସର୍ଗ କରିଥିବା ବରିଷ୍ଠ ନେତାମାନେ ରାଜନୈତିକ ମତଭେଦ ନିର୍ବିଶେଷରେ ସମ୍ମାନ ପାଇବାକୁ ହକଦାର । ପୂଜ୍ୟପୂଜା କଥା କହୁଥିବା ବିଜେପି ନେତାମାନେ ବରିଷ୍ଠ ନେତାଙ୍କୁ ସମ୍ମାନ ଦେବା ଶିଖିବା ଉଚିତ । ଗଣତନ୍ତ୍ରରେ କୌଣସି ରାଜନୈତିକ ନେତାଙ୍କ ମତ ବା ନିଷ୍ପତ୍ତି ସହ ଅସହମତ ହେବା ସ୍ୱାଭାବିକ । କିନ୍ତୁ ବାରମ୍ୱାର ଜଣେ ନେତାଙ୍କ ବୟସକୁ ଆଧାର କରି ତାଙ୍କୁ ଟାର୍ଗେଟ କରିବା ରାଜନୈତିକ ପରିପକ୍ୱତା କିମ୍ୱା ସୁସ୍ଥ ଗଣତାନ୍ତ୍ରିକ ସଂସ୍କୃତିର ପରିଚୟ ନୁହେଁ ।
ନବୀନ ପଟ୍ଟନାୟକଙ୍କୁ ଏବେ ୮୦ ବର୍ଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କଠାରୁ ମାତ୍ର ତିନିବର୍ଷ ବଡ଼ । ବିଜେଡି ଯଦି ସେମାନଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରେ ତେବେ କ’ଣ ହେବ? ବିଜେପି ଏହାକୁ ଉଚିତ ବୋଲି ଗ୍ରହଣ କରିବ କି? ନିଜ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଏଭଳି ବ୍ୟକ୍ତିଗତ ମନ୍ତବ୍ୟକୁ ବିଜେପି ସହ୍ୟ କରିବ କି? ନବୀନ ପଟ୍ଟନାୟକ ଏପରି ଜଣେ ରାଷ୍ଟ୍ରନାୟକ, ଯାହାଙ୍କ ସାର୍ବଜନୀନ ଜୀବନ ସରଳତା, ମର୍ଯ୍ୟାଦା ଏବଂ ଓଡ଼ିଶାବାସୀଙ୍କ ସେବା ପ୍ରତି ସମର୍ପଣ ଭାବନାରେ ପରିପୂର୍ଣ୍ଣ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।