ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପର ବିରୋଧ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆସନ୍ତାକାଲି ବିଜେଡିର ଏକ ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରିବ ।
ନବୀନ ପଟ୍ଟନାୟକ ଏହା ପୂର୍ବରୁ କୋଟିଆ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିସାରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନିର୍ବାଚନୀ ଇସ୍ତାହାରକୁ ଉଲ୍ଲେଖ କରି ନବୀନ କହିଥିଲେ ଯେ, କୋଟିଆ ପ୍ରସଙ୍ଗରେ ବିଜେପି ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି । ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ, ସରକାରକୁ ଆସିଲେ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ, ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା କରାଯିବା ସହ ଓଡ଼ିଆ ସ୍ୱାଭିମାନର ପୁନଃପ୍ରତିଷ୍ଠା କରାଯିବ ।
ବିଜେପିର ପ୍ରତିଶ୍ରୁତି ପାଣିର ଗାର ସଦୃଶ୍ୟ । କୋଟିଆବାସୀଙ୍କ ସ୍ୱାର୍ଥ ଏବଂ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ ଏବଂ ଓଡ଼ିଶା ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ । ଏହି ଗସ୍ତ ସମୟରେ ପ୍ରତିନିଧିମଣ୍ଡଳୀ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ।
ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଝିନ୍ନ ହିକକା, ବିଧାୟକ ତଥା ବିଜେଡି ଆଦିବାସୀ ସେଲ୍ ଉପସଭାପତି ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଆଦିବାସୀ ସେଲ୍ ଉପସଭାପତି ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ତଥା ବିଜେଡି ଆଦିବାସୀ ସେଲ୍ର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଆଦିବାସୀ ସେଲ୍ ପରାମର୍ଶଦାତା ରମେଶ ମାଝୀ, ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଭୃଗୁ ବକ୍ସିପାତ୍ର, ବିଜେଡି ମୁଖପାତ୍ର ତୁମ୍ୱନାଥ ପଣ୍ଡା, ପୂର୍ବତନ ବିଧାୟକ ତଥା ବିଜେଡି ଆଦିବାସୀ ସେଲ୍ ଉପସଭାପତି ମାନସ ମାଡକାମୀ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଭୁ ଜାନି, ବିଜେଡି ଆଦିବାସୀ ସେଲ୍ ସାଧାରଣ ସମ୍ପାଦିକା ଶ୍ରୀମତୀ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସଶ୍ମିତା ମେଲକା ଏବଂ କୋରାପୁଟ ପୌରପାଳିକାର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ସାମିଲ ହେବେ ।