ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଶୁଣିଲେ ବିଜେଡି ଏକଦା ନାକ ଟେକୁଥିଲା । ତାଙ୍କ ଅହଂକାରକୁ ପ୍ରଶ୍ନ ଉଠାଉଥିଲା । କୋଭିଡ୍ କାଳରେ ଆଇନକୁ ଭାଙ୍ଗିଥିବା ସାଂସଦଙ୍କ କାର୍ଯ୍ୟାଳୟକୁ ସିଲ୍ କରି ତାଙ୍କୁ ଦାଣ୍ଡରେ ବସାଇଥିଲା । ଅପରାଜିତା ବି ରାଜ୍ୟ ସରକାରଙ୍କୁ ପାଣି ପିଆଇଥିଲେ । ରାଜ୍ୟର ଶାସନ ବ୍ୟବସ୍ଥାକୁ ଅଙ୍ଗୁଳି ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନବାଣରେ ଛନ୍ଦିଥିଲେ । ଅପରାଜିତାଙ୍କ ଏହି ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଜଣାପଡ଼ିନାହିଁ । ମାତ୍ର ଅପରାଜିତାଙ୍କ ପ୍ରତି ବିଜେଡି ଆଭିମୁଖ୍ୟରେ ପରିବର୍ତ୍ତନର ଆଭାସ ମିଳିଛି ।
ଆଜି ବିଜେଡିର ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତାଙ୍କ କାର୍ଯ୍ୟଶୈଳୀକୁ ପରୋକ୍ଷରେ ପ୍ରଶଂସା କରାଯାଇଛି । କେମିତି କାମ କରାଯାଏ ଶ୍ରୀମତୀ ଷଡ଼ଙ୍ଗୀଙ୍କଠାରୁ ଶିଖନ୍ତୁ ବୋଲି ତାଙ୍କ ଦଳର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ।
ସୂଚନାଥାଉକି, କପିଳେଶ୍ୱର ମନ୍ଦିରକୁ ଏଏସଆଇ ନେବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ । ଏଏସଆଇ ଅଧୀନକୁ ମନ୍ଦିର ଆସିବା ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ମେ’ ୫ ରୁ ଜାରି ହୋଇଥିବା ବେଳେ ମେ’ ୯ ତାରିଖରେ ଧର୍ମେନ୍ଦ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ଏହା କରିବାକୁ ଅନୁରୋଧ କରିବା ତାଙ୍କୁ ଲୋକହସା କରିଛି । ଅପରାଜିତା ଏହା ଖାଲି ଧରା ପକାଇ ନାହାନ୍ତି, ବରଂ ତାଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିବା ତଥ୍ୟ ପ୍ରମାଣ ଦେଇଛନ୍ତି ।
ତେବେ ଶ୍ରେୟ ଓ ପ୍ରଚାର ପାଇଁ ଟଣାଓଟରାରେ ଥିବା ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କ ମାମଲାରେ ବିଜେଡି ମୁଣ୍ଡ ପୂରାଇଛି । ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି । ଓଡ଼ିଶା ସମ୍ପର୍କିତ ସବୁ ପ୍ରସଙ୍ଗରେ ଧର୍ମେନ୍ଦ୍ର କାମ ଉପରେ ଧ୍ୟାନ ନ ଦେଇ ପ୍ରଚାର ପାଇଁ ବେଶୀ ବ୍ୟାକୁଳ ହେଉଥିବା ସେ କଟାକ୍ଷ କରିଛନ୍ତି । କେମିତି କାମ କରାଯାଏ, ତାହା ତାଙ୍କ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଥରେ ମାତ୍ର ପଚାରି ବୁଝନ୍ତୁ ବୋଲି ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ।
ବିଜେପି ସାଂସଦ ଅପରାଜିତାଙ୍କୁ ବିଜେଡି ମୁଖପାତ୍ର ଏଭଳି ମୁଣ୍ଡରେ ବସାଇବା ଏବଂ ତାଙ୍କ କାର୍ଯ୍ୟକୁ ଆଦର୍ଶ ମାନିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ଏହା ବିଜେଡିର କ’ଣ ନୂଆ ସମୀକରଣ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ କପିଳେଶ୍ୱର ମନ୍ଦିରକୁ ଏଏସଆଇ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିବାକୁ କିଏ ମନା କରିଥିଲା? ଏକାମ୍ର ନିର୍ବାଚନମଣ୍ଡଳୀରୁ ଅଶୋକ ପଣ୍ଡା ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ୱ କରି ଆସୁଛନ୍ତି । ମନ୍ତ୍ରୀ ରହିଛନ୍ତି । ନିଜ ଘର ପାଖରେ ଥିବା ଏହି ମନ୍ଦିରର ସୁରକ୍ଷା ପାଇଁ ସେ ଉଦ୍ୟମ କଲେ ନାହିଁ କାହିଁକି? ନିଜ ମନ୍ତ୍ରୀଙ୍କର ଏହି ଅପରାଗତାକୁ ଭୁଲିଯାଇ ବିରୋଧୀ ଦଳର ସାଂସଦଙ୍କ କାର୍ଯ୍ୟଶୈଳୀକୁ ଆଦର୍ଶ ମାନିବା ଲଜ୍ଜାର ବିଷୟ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେବା ବଦଳରେ ଅଶୋକ ପଣ୍ଡାଙ୍କୁ ପରାମର୍ଶ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଇଛନ୍ତି ।