ଭୁୁବନେଶ୍ୱର: ରାଜ୍ୟରେ ବିଜେଡି ପୁଣି ଥରେ ଏକ ସ୍ଥିର ସରକାର ଗଠନ କରିବାକୁ ଯାଉଛି । ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଆତ୍ମବିଶ୍ୱାସ ପରିପ୍ରେକ୍ଷୀରେ ଆଜି ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମନ୍ତବ୍ୟ ବିଜେଡି ମହଲକୁ ଆହୁରି ଉତ୍ସାହିତ କରିଛି ।
ଶ୍ରୀ ପାଣ୍ଡିଆନ୍ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଏ ପର୍ଯ୍ୟନ୍ତ ଶେଷ ହୋଇଥିବା ତିନୋଟି ପର୍ଯ୍ୟାୟ ଭୋଟ୍ ରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିସାରିଲାଣି । ଏହି ତିନୋଟି ପର୍ଯ୍ୟାୟରେ ବିଜେଡିର ଷ୍ଟ୍ରାଇକ୍ ରେଟ୍ ୮୫% ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଥର ମତଦାନ ହାର ବୃଦ୍ଧି ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରତିଫଳନ ବୋଲି ସେ କହିବା ସହ ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଷଷ୍ଠ ଥର ପାଇଁ ଏକ ସ୍ଥିର ସରକାର ଗଠନ କରିବାକୁ ଯାଉଛି ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବା ନିଶ୍ଚିତ ବୋଲି ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।






