ଭୁବନେଶ୍ୱର: ମୟୁରଭଞ୍ଜରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭୀଷଣ ଭାବେ ତାତ୍ସଲ୍ୟ କରିଥିଲେ । କହିଥିଲେ, ମୟୁରଭଞ୍ଜ ମାଟିରୁ ଆଦରଣୀୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇଛନ୍ତି । ଯାହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ମାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାରିପଦାରେ ଅଭିଭାଷଣ ଦେବା ବେଳେ ଏହି ମାଟିର ଝିଅକୁ ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି ଜାଣି ନ ପାରିବା ଚିନ୍ତାଜନକ ।
ଧର୍ମେନ୍ଦ୍ରଙ୍କ ଏହି ଟିପ୍ପଣୀକୁ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) କଡ଼ା ଜବାବ ରଖିଛନ୍ତି । ସୋସିଆଲ୍ ମିଡିଆ ‘ଏକ୍ସ’ ରେ ସେ ଲେଖିଛନ୍ତି
ଭାଇ, ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର। ଜଣେ ବ୍ୟକ୍ତି ରାଜନୀତିରେ ଥାଆନ୍ତୁ କିମ୍ବା କୈାଣସି ବି କ୍ଷେତ୍ରରେ, ସଭିଏଁ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି। ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ, ଦେଶରେ ସମ୍ମାନସ୍ପଦ ପରିଚୟ ଦେଇଛି। ଓଡ଼ିଶା ରାଜନୈତିକ କ୍ଷେତ୍ରରେ ବି ଅତ୍ୟନ୍ତ ଉଚ୍ଚକୋଟୀର ଶାଳୀନତା ରହିଆସିଛି। ଯାହାକୁ ସବୁ ଦଳର ରାଜନେତା ପାଳନ କରିଆସିଛନ୍ତି। ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଆପଣ ଯେଉଁଭଳି ଶାଳୀନତା ଭୁଲି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି, ଏହା କାହାକୁ ଆଶ୍ଚର୍ଯ୍ୟ କରୁନାହିଁ। କାରଣ, ଯିଏ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ନିଜ ବାପାଙ୍କୁ ତାଲା ପକାଇ ଟିକେଟ ନିଅନ୍ତି, ତାଙ୍କଠାରୁ ଆଉ କ’ଣ ବା ଆଶା କରାଯାଇପାରେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ, ଏତିକି ପ୍ରାର୍ଥନା।