ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି । ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ସେ ଗୋଟିଏ ବି ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିନାହାନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଗଣମାଧ୍ୟମରେ ମତ ରଖି ଏହା କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ ଢେଙ୍କାନାଳ ଓ ସମ୍ବଲପୁରବାସୀ ବାରମ୍ବାର ୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇବା ସହିତ ଏହି ସଡକର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ଥିବାରୁ କିଭଳି ଶହ ଶହ ମୂଲ୍ୟବାନ ଜୀବନ ଯାଉଛନ୍ତି, ତାହା ଦର୍ଶାଇ ଆସୁଛନ୍ତି । ହେଲେ ସେ ବାରମ୍ବାର ଏହି ସମସ୍ୟାର ସମାଧାନ କରିବାକୁ କିମ୍ବା ଏହି ପ୍ରସଙ୍ଗରେ କହିବାକୁ ମନା କରିଦିଅନ୍ତି । ଏବେ ସେ ସମ୍ବଲପୁରରୁ ନିର୍ବାଚନ ଲଢୁଥିବା ବେଳେ ଏଭଳି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ କିଭଳି ସାମ୍ନା କରିବେ ସେ ନେଇ ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିନାହାନ୍ତି । ଏପରିକି ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ୍ ରୁମ୍ ନିର୍ମାଣ କରିପାରିନାହାନ୍ତି । ସେଥିପାଇଁ ତାଙ୍କ ନିଜ ଗାଁରେ ପଞ୍ଚାୟତ ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା ।
ଅପରପକ୍ଷରେ ବିଜେଡି ସରକାର ସ୍ମାର୍ଟ କ୍ଲାସରୁମ୍, ଡିଜିଟାଲ୍ ଲାଇବ୍ରେରୀ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ମାଧ୍ୟମରେ ହାଇସ୍କୁଲ ଶିକ୍ଷାକୁ ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ରୂପାନ୍ତରଣ କରିଛନ୍ତି । ସେ ସବୁ ରୂପାନ୍ତରଣ ତାଙ୍କୁ ଦେଖାଯାଉ ନାହିଁ । ୫-ଟି ଅଭିଯାନ ରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ ଅଧୀନରେ ଓଡ଼ିଶାକୁ ‘ଆୱାର୍ଡ ଅଫ୍ ଏକ୍ସଲେନ୍ସ’ ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶ୍ରୀ ପ୍ରଧାନ ପ୍ରକୃତରେ ଦୁଃଖିତ ବୋଲି ଡ. ପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଯୋଗାଯୋଗ ଅବ୍ୟବସ୍ଥା ଓ ପାନୀୟ ଜଳ ସଂକଟ ନେଇ କେନ୍ଦ୍ରମନ୍ତ୍ରୀଙ୍କ କ୍ଷୋଭ ପ୍ରକାଶ କରିଥିଲେ । ଡିଏମଏଫ ଅର୍ଥରେ ସରକାରୀ ଅଧିକାରୀ ବ୍ୟୟବହୁଳ ଗାଡି କିଣୁଥିବା ବେଳେ ରାସ୍ତା ନିର୍ମାଣ ନ ହେବା କ୍ଷୋଭ ଓ ପରିତାପର ବିଷୟ ବୋଲି କହିଥିଲେ ।
ଧର୍ମେନ୍ଦ୍ର କହିଥିଲେ,
• ଡିଏମଏଫ ଅର୍ଥରେ ସୁନ୍ଦରଗଡ଼ ସର୍କିଟ ହାଉସର ପାଚେରୀ ନିର୍ମାଣ ହେଉଥିବା ବେଳେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ବଡପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମରେ ରାସ୍ତା ନିର୍ମାଣ ହୋଇପାରୁନାହିଁ
• ଖଣି ସମୃଦ୍ଧ ଅଞ୍ଚଳ ସୁନ୍ଦରଗଡ଼କୁ ଡିଏମଏଫରେ ମୋଟ ୬,୪୦୫ କୋଟି ଟଙ୍କା ଆସିଥିବା ବେଳେ ମାତ୍ର ୮୬୦ କୋଟି ବ୍ୟୟ ହୋଇଛି
• ସରକାର ତଥା ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱରୁ ଓହରିଯିବା କେତେଦୂର ଯୁକ୍ତିଯୁକ୍ତ ?
• ଯେଉଁ ଖଣି ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ ଡିଏମଏଫ ପାଣ୍ଠି ଉଦ୍ଧିଷ୍ଟ, ସେମାନେ ସର୍ବନିମ୍ନ ନାଗରିକ ସୁବିଧା ପାଇବାରୁ ବଞ୍ଚିତ ହେବା କ’ଣ ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ ?
• କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ “ପାଣି ନ ଦେଲେ ଭୋଟ୍ ଦେବୁ ନାହିଁ” ବୋଲି ମାତୃଶକ୍ତିମାନେ ସ୍ୱର ଉଠାଇଛନ୍ତି
• ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ ୮୮.୭୬ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୨୩.୮୯ ଲକ୍ଷ ପରିବାର ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି ।
• ପ୍ରାୟ ୫୬.୧୨ ପ୍ରତିଶତ ଗ୍ରାମବାସୀ ଏବେ ବି ଦୂଷିତ ପାଣି ବ୍ୟବହାର କରୁଛନ୍ତି
• ରାଜ୍ୟରେ ୧୫ଟି ଜିଲ୍ଲାର ୪୦ ପ୍ରତିଶତରୁ ଅଧିକ ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହୋଇନାହିଁ, ସହରାଞ୍ଚଳରେ ମଧ୍ୟ ୩୧.୨ ପ୍ରତିଶତ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି