ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ତଥା ଲୋକପ୍ରିୟ ନେତା ସୁର ରାଉତରାୟଙ୍କୁ ମହଙ୍ଗା ପଡ଼ିଛି ପୁତ୍ରମୋହ । ବିଶୃଙ୍ଖଳିତ ଏବଂ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ୍ ଖାଡଗେ ଏହାକୁ ଅନୁମୋଦନ କରିଥିବା ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ।
ତେବେ ସୁର ବାବୁ ଏହି ବହିଷ୍କାର ଆଦେଶକୁ ଭୃକ୍ଷେପ କରିନାହାନ୍ତି । ପୁଅ ବିଜେଡି ଏମପି ପ୍ରାର୍ଥୀ ହେବାରେ ତାଙ୍କର କେଉଁଠି ଭୁଲ୍ ରହିଲା ବୋଲି ପ୍ରଶ୍ନ କରି ତାଙ୍କ ଉପରେ ଦଣ୍ଡାଦେଶକୁ ସ୍ୱାଗତ କରିଛନ୍ତି । କହିଛନ୍ତି, ଏ କି କଥା ହୋ । ମୁଁ ପକ୍କା କଂଗ୍ରେସିଆ । ପୁଅ ତା’ର ବିଜେଡିରୁ ପ୍ରାର୍ଥୀ ହୋଇଛି । ତା’ ପାଇଁ ଭୋଟ୍ ମାଗିବା ବାପା ହିସାବରେ ମୋର ଦାୟିତ୍ୱ । ଏହା ମୁଁ ତୁଲାଉଛି । ଏହା କେମିତି ଦଳବିରୋଧୀ କାର୍ଯ୍ୟ ହେଲା ହୋ?? ଯଦି ସେୟା ଭାବିଛନ୍ତି, ତେବେ ନୋ ପ୍ରୋବ୍ଲେମ୍ । ୱେଲକମ୍ ।
ସୂଚନାଥାଉକି, ଏହି ବରିଷ୍ଠ ନେତା ଏଥର ନିର୍ବାଚନ ଲଢ଼ିବାକୁ ବହୁ ଆଗରୁ ମନା କରି ସାନପୁଅ ମନ୍ମଥ ରାଉତରାୟଙ୍କୁ ଜଟଣୀରୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଥିଲେ । ମାତ୍ର ମନ୍ମଥ ବିଜେଡି ପ୍ରତି ଆକର୍ଷିତ ହୋଇ ଦଳରେ ଖାଲି ଯୋଗଦେଇନାହାନ୍ତି, ବରଂ ଦଳ ତାଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିଛି । ଏହା ସୁରବାବୁଙ୍କୁ ଧର୍ମସଙ୍କଟରେ ପକାଇଥିଲା ।
ରୋଚକ କଥା ହେଉଛି, ସୁରବାବୁ ଏହି ଧର୍ମସଙ୍କଟରୁ ବାହାରି ସାନପୁଅ ପାଇଁ ଭୋଟ ଯୋଗାଡ଼ରେ ଲାଗିଥିବା ବେଳେ ନିଜକୁ କିନ୍ତୁ କଂଗ୍ରେସିଆ ଦାବି କରି ଆସୁଥିଲେ । ସେହିଭଳି ଜଟଣୀରୁ କଂଗ୍ରେସ ଆଶାୟୀ ଥିବା ବଡ଼ପୁଅ ସିଦ୍ଧାର୍ଥ ଟିକେଟ୍ ପାଇଲେ ତାଙ୍କୁ ମଧ୍ୟ ସମର୍ଥନ କରିବେ ବୋଲି କହୁଥିଲେ । ମାତ୍ର ଜଟଣୀରୁ ସିଦ୍ଧାର୍ଥ ଟିକେଟ୍ ପାଇନାହାନ୍ତି । ସୁରଙ୍କ ବିରୋଧୀ ସନ୍ତୋଷ ଜେନାଙ୍କୁ ମିଳିଛି କଂଗ୍ରେସ ଟିକେଟ୍ ।