ଭୁବନେଶ୍ୱର: ଅତ୍ୟାବଶକୀୟ ଜିନିଷର ଅହେତୁକ ଦର ବୃଦ୍ଧି ପ୍ରସଙ୍ଗରେ ବିଜୁ ଜନତା ଦଳ ତରଫରୁ ଜାନୁଆରୀ ୬ ତାରିଖରେ ଲୋକସେବା ଭବନ ସମ୍ମୁଖରେ ଏକ ଗଣ ବିକ୍ଷୋଭ ହେବାକୁ ଥିବା ବେଳେ, ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯୁବ ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ।
ଶ୍ରୀମତୀ ଛୁରିଆ କହିଥିଲେ, ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି । ଲୋକେ ତ୍ରାହି ତ୍ରାହି ଡାକିଲେଣି । ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ ବିଫଳ ହୋଇଛନ୍ତି । ମୁଦ୍ରାସ୍ଫୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ନଅ ମାସରେ ସବୁଠାରୁ ଅଧିକ । ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ଫୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ । ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ମଧ୍ୟ ୬.୬୮ ପ୍ରତିଶତକୁ ଛୁଇଁଛି । ଦେଶରେ ବିଜେପି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଉଜ୍ୱଳା ଯୋଜନା ମହିଳାମାନଙ୍କୁ ଧୂଅାଁରୁ ମୁକ୍ତି ମିଳିବ ବୋଲି କୁହା ଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ଏହା ଏକ ନିର୍ବାଚନୀ ଧୂଅାଁବାଣ ଥିଲା ବୋଲି ଜଣାପଡ଼ିଥିଲା ।
ଶ୍ରୀବ୍ୟୋମକେଶ ରାୟ କହିଥିଲେ, ଓଡ଼ିଶାର ମୁଦ୍ରାସ୍ଫୀତି ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ଓଡିଶାର ମୁଦ୍ରାସ୍ଫୀତି ୬.୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି । ଉଲ୍ଲେଖଯୋଗ୍ୟ, ଦେଶର ରାଜ୍ୟମାନଙ୍କ ଭିତରେ ମୁଦ୍ରାସ୍ଫୀତି ବୃଦ୍ଧି ତାଲିକାରେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରେ ସାତଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି । ଛତିଶଗଡ଼, ବିହାର, ଓଡିଶା ଓ ୟୁପି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲାବେଳେ ପଞ୍ଚମ ସ୍ଥାନରେ ଅଣ ବିଜେପି ଶାସିତ ରାଜ୍ୟ ଭାବେ କେରଳ ରହିଛି । ମଧ୍ୟପ୍ରଦେଶ, ଗୁଜରାଟ ଓ ହରିଆନା ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି ।
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାରମାନେ ସମ୍ପୂର୍ଣ ବିଫଳ ହୋଇଛନ୍ତି । ଦରଦାମ ବୃଦ୍ଧି ଯୋଗୁ ଜନ ସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ । ବରଂ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ରାଜ୍ୟ ସରକାର ଜନ ସାଧାରଣଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି ।
ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ସେହିପରି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହିସାବରେ ଦେଶର ପେଟ୍ରୋଲ ଓ ଡିଜେଲ ଦର ସ୍ଥିର କରାଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା । ହେଲେ ଆନ୍ତର୍ଜାତୀୟ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ଦେଶରେ ପେଟ୍ରୋଲ ଡିଜେଲ ଦର ବଢ଼ୁଛି ବା ଅପରିବର୍ତ୍ତିତ ରହୁଛି । ସରକାର ଯେ ଦରଦାମ ନିୟନ୍ତ୍ରଣ ପାଇଁ ଆଦୌ ଚିନ୍ତିତ ବା ଚେଷ୍ଟିତ ନୁହଁନ୍ତି, ଏଥିରୁ ସ୍ପଷ୍ଟ ହେଉଛି । ତେଣୁ ଏହି ଅହେତୁକ ଦରବୃଦ୍ଧିର ପ୍ରତିବାଦରେ, ଆସନ୍ତା କାଲି ଏକ ଗଣ ବିକ୍ଷୋଭ କରାଯିବ । ଦରବୃଦ୍ଧି ନିୟନ୍ତ୍ରଣକୁ ଆଣିବାରେ ସରକାର ବିଫଳ ହେଲେ ଆଗାମୀ ଦିନରେ ରାଜ୍ୟର ପ୍ରତି ବ୍ଲକ ଓ ପ୍ରତି ପଞ୍ଚାୟତସ୍ତରରେଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯିବ ।