ଭୁବନେଶ୍ୱର: ମଣିପୁର ରାଜଧାନୀ ଇମ୍ଫାଲଠାରୁ ମାତ୍ର ୪୦ କିମି ଦୂର କାଙ୍ଗପୋକପି ଜିଲ୍ଲାରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କଲା ପରେ ଉଲ୍ଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସମସ୍ତଙ୍କୁ ବିବ୍ରତ କରିଛି । ସେହିଦିନ ଅନ୍ୟ ଏକ ଘଟଣାରେ ଜିଲ୍ଲାର ଏକ କାର ୱାସ୍ ସେଣ୍ଟରରେ କାମ କରୁଥିବା ଦୁଇ ଜଣ ଆଦିବାସୀ ଯୁବତୀଙ୍କୁ ଦୁର୍ବୁତ୍ତମାନେ ଗଣଦୁଷ୍କର୍ମ କଲା ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।
ମଣିପୁରରେ କେବଳ ଏହି ଦୁଇଟି ଘଟଣା ନୁହେଁ, ଗତ ମେ’ ୩ ରୁ ଜୁନ୍ ୨୮ ମଧ୍ୟରେ ବିଭିନ୍ନ ଥାନାରେ ପ୍ରାୟ ୬ ହଜାର ମାମଲା ହୋଇଛି । ଏଗୁଡ଼ିକ ଅପହରଣ, ଆକ୍ରମଣ, ହତ୍ୟା, ଦୁଷ୍କର୍ମ, ଗୃହଦାହ ଭଳି ସଙ୍ଗୀନ ମାମଲା । ଥାନା ମାମଲା ବାହାରେ ପୁଣି କେତେ ଯେ ଘଟଣା ଘଟିଥିବ ତାହା ଜାଣିବା ମୁସ୍କିଲ୍ । ନିର୍ଦ୍ଦିଷ୍ଟ ଭାବେ ମେ ୪ରୁ ୧୫ ତାରିଖ ମଧ୍ୟରେ କୁକି ସମ୍ପ୍ରଦାୟର ଅନେକ ମହିଳା ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ ଏବଂ ହତ୍ୟା ଶିକାର ହୋଇଥିବା ଅଭିଯୋଗ ହୋଇଛି ।
ମେ’ ୩ ରୁ ମଣିପୁର ଜଳୁଛି । ଆଦିବାସୀ ମାନ୍ୟତା ପ୍ରସଙ୍ଗକୁ ନେଇ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଚାଲିଛି । ଦୀର୍ଘ ଅଢ଼େଇ ମାସ ଧରି ଭୟଙ୍କର କାଣ୍ଡମାନ ଘଟି ଚାଲିଛି । ଦୁର୍ଭାଗ୍ୟକୁ ସ୍ଥାନୀୟ ପୁଲିସଠାରୁ ଆରମ୍ଭ କରି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହାକୁ ଦମନ କରିବାରେ ବିଫଳ ହୋଇଛନ୍ତି । ଏମାନଙ୍କର ନିରବଦ୍ରଷ୍ଟା ସ୍ଥିତିକୁ ଅଧିକ ବିଗିଡ଼େଇ ଦେଇଛି । ପୂରା ସିଷ୍ଟମ୍ ଫେଲ୍ ମାରିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ମେ’ ୪ ତାରିଖର ସେହି ଛାତିଥରା ଘଟଣା ।
ମେ’ ୩ ଦଙ୍ଗା ଆରମ୍ଭର ଠିକ ପରଦିନ କାଙ୍ଗପୋକପିର ଏକ ଗାଁରେ ମୈତେଇ ସମ୍ପ୍ରଦାୟର ଶତାଧିକ ଲୋକ ମାରଣାସ୍ତ୍ର ଧରି ପଶିଥିଲେ ଏବଂ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କଲା ପରେ ଉଲ୍ଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ । ଏହି ଘଟଣା ବେଳେ ଅନତି ଦୂରରେ ପୁଲିସ ଉପସ୍ଥିତ ଥିଲେ । ଏକ ଗାଡ଼ି ଭିତରୁ ୪ ପୁଲିସ କର୍ମୀ ଏହି ବର୍ବର କାଣ୍ଡ ଦେଖୁଥିଲେ ମଧ୍ୟ ହାତ ଟେକି ଦେଇଥିଲେ ।
ଏହି ବର୍ବର ଘଟଣା ସମ୍ପର୍କରେ ଥାନାରେ ଏତଲା ହୋଇଥିଲା । ମାତ୍ର ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି । ଜୁନ୍ ୧୨ ତାରିଖରେ ଘଟଣା ସମ୍ପର୍କରେ ଜାତୀୟ ମହିଳା କମିସନଙ୍କ ପାଖରେ ଦୁଇ ଜଣ ସାମାଜିକ କର୍ମୀ ଏବଂ ଉତ୍ତର ମଣିପୁର ଆଦିବାସୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ମାତ୍ର କମିସନଙ୍କ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ ।
ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଥିବାରୁ ଘଟଣାଟି ଚାପି ହୋଇ ରହିଥିଲା । ମାତ୍ର ଜୁଲାଇ ୧୯ ରେ ଏହାର ଭିଡିଓ ଭାଇରାଲ୍ ହୋଇ ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିବା ପରେ ଯାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଜାତୀୟ ମହିଳା କମିସନଙ୍କଠାରେ ଲଜ୍ଜା ଜାଗ୍ରତ ହୋଇଛି ।
ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ସଫେଇ ଦେଇଛନ୍ତି ଯେ ଜୁନ୍ ମାସରେ ସେମାନଙ୍କ ପାଖରେ ଅନେକ ଅଭିଯୋଗ ଆସିଥିଲା । ସେମାନେ ଏଗୁଡ଼ିକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ନିକଟରେ ପହଞ୍ଚାଇଛନ୍ତି । ତେଣୁ କମିସନଙ୍କର କିଛି ଦୋଷ ନାହିଁ ଏବଂ ଅଯଥାରେ ବଦନାମ କରାଯାଉଛି କହି ସେ ଝାଡ଼ଝୁଡି ହୋଇଯାଇଛନ୍ତି ।
ଭାଇରାଲ୍ ଭିଡିଓ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ମୁହଁ ଖୋଲିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓକୁ ନେଇ ସେ ଚିନ୍ତା ପ୍ରକଟ କରିଥିବା ବେଳେ ରାଜ୍ୟରେ ଏଭଳି ଶତାଧିକ ଘଟଣା ଘଟିଛି ବୋଲି କହୁ କହୁ ସତକଥା ମାନି ଯାଇଛନ୍ତି । ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷାରେ ବିଫଳତା ପାଇଁ ବିରୋଧୀ ଦଳର ଇସ୍ତଫା ଦାବିକୁ ସେ ଏଡ଼ାଇ ଦେଇଛନ୍ତି । ମହିଳାଙ୍କ ବିରୋଧରେ ହିଂସା ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ତୁଚ୍ଛା ଆଶ୍ୱାସନା ଦେଇଛନ୍ତି ।
ଦୀର୍ଘ ଅଢ଼େଇ ମାସ ଧରି ମଣିପୁର ଜଳୁଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ମଣିପୁର ଚିନ୍ତା ଛାଡ଼ି କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଲେ । ଫ୍ରାନସ ଓ ଆମେରିକା ଭ୍ରମଣ କଲେ । ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଇବାର ପୁରୁଣା ଭିଡିଓ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କଲା ପରେ ଯାଇ ପ୍ରଧାନମନ୍ତ୍ରୀଙ୍କର ଚିନ୍ତା ହେଲା । ମୁହଁ ଖୋଲି ଘଟଣାରେ ବ୍ୟଥିତ ହେଲେ ଏବଂ କଡ଼ା ଭାଷାରେ ନିନ୍ଦା କଲେ । ତେବେ ସେଥିରେ ବି ରାଜନୀତି ପୂରାଇବାକୁ ଭୁଲି ନାହାନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ । ରାଜସ୍ଥାନ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ କାଳେ ଅନୁରୂପ ଘଟଣାକୁ ମନେ ପକାଇ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି ।
ମଣିପୁର ଅପବାଦରୁ ବର୍ତ୍ତିବା ପାଇଁ ବିଜେପି ନେତାମାନେ କଥା କଥାକେ ଅଣ ବିଜେପି ଶାସିତ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼ର ଉଦାହରଣ ଦେଉଛନ୍ତି । ଦଳର ମୁଖପାତ୍ରମାନେ ଟିଭି ଟିବେଟ୍ ରେ ଏହାକୁ ନିଜର ସୁରକ୍ଷାକବଚ କରିଛନ୍ତି । ମହିଳାଙ୍କ ଉପରେ ବର୍ବର ଅତ୍ୟାଚାରକୁ ରାଜନୀତି ନିକିତିରେ ତଉଲୁଛନ୍ତି । ମାତ୍ର ଦେଶବାସୀ ଏହାକୁ ଗ୍ରହଣ କରିନାହାନ୍ତି । ଆଗ ମଣିପୁର କଥା ବୁଝ ବୋଲି ସବୁ ଆଡୁ ସ୍ୱର ଉଠିଛି ।
ମୁଖ୍ୟକଥା ହେଲା, ମଣିପୁର ଜଳୁଥିବା ବେଳେ ରାଜ୍ୟ ସରକାର ହାତ ଟେକି ବସିଛନ୍ତି । କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଅତଏବ ଡବଲ୍ ଇଞ୍ଜିନ ସରକାରକୁ ମଣିପୁରରେ ଉଇ ଲାଗିଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ବହୁ ବିଳମ୍ବରେ ମଣିପୁର ଗସ୍ତ କରି ହିଂସାକାଣ୍ଡ ରୋକିବାକୁ ଉଦ୍ୟମ କରି ଫେଲ୍ ମାରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଣିପୁର ଘଟଣା ଉପରେ ଆଦୋ÷ ମୁହଁ ଖୋଲି ନ ଥିଲେ ।
ରାଜ୍ୟଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ଦୂରେ ଥାଉ, ଶାନ୍ତିସ୍ଥାପନ ପାଇଁ ଦୁଇ ସମ୍ପ୍ରଦାୟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ ମଧ୍ୟ କରିନାହାନ୍ତି । ବୀରେନ୍ଦ୍ର ସିଂ ଅସହାୟ ଅବସ୍ଥାରେ ପ୍ରଶାସନକୁ ପଙ୍ଗୁ କରିଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଅପାରଗ ମୁଖ୍ୟମନ୍ତ୍ରୀଙ୍କୁ ଶାସନଗାଦିରୁ ହଟାଇବାକୁ ଉଚିତ୍ ମଣିନାହାନ୍ତି । ଏହାଠାରୁ ଭଳି ଦୁର୍ଭାଗ୍ୟର କଥା କିଛି ନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ବିରୋଧୀ ଦଳର ଦାବି ଯଥାର୍ଥ ବୋଲି କୁହାଯାଉଛି ।