ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଏବଂ ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ମିଶିଛନ୍ତି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
ପଶ୍ଚିମ ଓଡ଼ିଶାର ଜଣେ ଦୃଢ଼ ସଂଗଠକ ଭାବେ ଶ୍ରୀ ବିଶ୍ୱାଳଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବିଜେପିର ଜଣେ ଟାଣୁଆ ସଂଗଠକ ଭାବେ ସେ ବେଶ୍ ଜଣାଶୁଣା ଥିଲେ । ରାଜନୀତି ବାହାରେ ମଧ୍ୟ ସେ ଏକାଧିକ ସଂଗଠନ ସହ ସଂପୃକ୍ତ । ରାଷ୍ଟ୍ରୀୟ କୁଲଟା ସମାଜର ଜାତୀୟ ସାଧାରଣ ସମ୍ପାଦକ, ଭାରତୀୟ ମଜଦୁର ସଂଘର ପଶ୍ଚିମ ଓଡ଼ିଶା ଆବାହକ, ଇଷ୍ଟ କୋଷ୍ଟ ରେଲୱେ ଠିକା ମଜଦୁର ସଂଘର କ୍ଷେତ୍ରୀୟ ସଭାପତି ଭଳି ଅନେକ ସଂଗଠନ ସହ ସଂପୃକ୍ତ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକାଶମୂଳକ କାର୍ଯ୍ୟ ତଥା ଜନକଲ୍ୟାଣ ଯୋଜନାରେ ଉଦବୁଦ୍ଧ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି । ମହିଳା ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଏକ୍ସପ୍ରେସ୍ ୱେ, ୫-ଟି ସ୍କୁଲ ରୂପାନ୍ତରଣ, କ୍ରୀଡ଼ା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଓଡିଶା ଆଜି ସାରା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ବିଶ୍ୱାଳ କହିଥିଲେ ।
ଶ୍ରୀ ବିଶ୍ୱାଳଙ୍କ ଯୋଗଦାନ ଫଳରେ ପଶ୍ଚିମ ଓଡିଶାରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି ।