ଭୁବନେଶ୍ୱର: ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଜି ଅତି ସାଂଘାତିକ ଏବଂ ବିବାଦୀୟ ବୟାନ ଦେଇଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବଲପୁରରେ ଆୟୋଜିତ ସୁଭଦ୍ରା କିସ୍ତି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଓଡ଼ିଶାକୁ ନିଜର ଭାବେ ଗ୍ରହଣ କରି ପାରିନାହାନ୍ତି । ଆମେ ଓଡ଼ିଶାରେ ମିଶି ଭୁଲ୍ କରିଦେଇଛୁ । ଏହା ଏକ ଐତିହାସିକ ଭୁଲ୍ ଥିଲା ବୋଲି ସେ ନିର୍ବିକାର କଣ୍ଠରେ କହିଛନ୍ତି ।
ଶ୍ରୀ ମିଶ୍ର ତାଙ୍କ ଭାଷଣରେ ଏମିତି କହିଥିଲେ..
ଜାଣି ରଖିବା କଥା ଆମର ସମ୍ବଲପୁର ଅଞ୍ଚଳର ଲୋକମାନଙ୍କୁ ଯେ ଉକ୍ରଳ କହିଲେ କଟକ, ପୁରୀ ଓ ବାଲେଶ୍ୱର । ଉକ୍ରଳ, କୋଶଳ ଓ କଳିଙ୍ଗ ମିଶିକି ଓଡ଼ିଶା ଗଠନ ହୋଇଛି । କେବଳ ଉକ୍ରଳର ଜୟଗାନ ଗାଇବା, ଅଥଚ କଳିଙ୍ଗ ଓ କୋଶଳର ଜୟଗାନ କରିବାନି । କ’ଣ ପାଇଁ? ଏଇଟା ଗୋଟେ ମାନସିକତା । ଆମକୁ ତମେ ଶୋଷଣ କରୁଛ । ଆମର ଅର୍ଥ, ଆମର ଖଣି, ଆମର ଜଙ୍ଗଲ, ଆମର ଚାଷ ସବୁଥିରେ ଆମକୁ ଶୋଷଣ କଲ । କଲଚରାଲି ବି ଆମକୁ ଏକ୍ସପ୍ଲଏଟ କରିବାକୁ ଚାହୁଁଛ । ଏଇଟା କି କଥା? ଆମେ ଓଡ଼ିଶା ପ୍ରଦେଶରେ ମିଶିବା ପାଇଁ ଆନ୍ଦୋଳନନରେ ସାମିଲ ହୋଇଥିଲୁ । କିନ୍ତୁ ଓଡ଼ିଶାରେ ମିଶି ଆମର ସବୁଠୁ ବଡ଼ ଭୁଲ୍ ହେଲା । ଆମର ଗୋଟେ ଐତିହାସିକ ଭୁଲ ।
ଜୟନାରାୟଣଙ୍କ ମନ୍ତବ୍ୟକୁ ସେଠାରେ ଉପସ୍ଥିତ ମହିଳା ଓ ସମର୍ଥକମାନେ ତାଳି ମାରି ସମର୍ଥନ କରିଥିବାରୁ ଆଗକୁ ଏହା ଭୟଙ୍କର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଏଥିସହ କୋଶଳ ବିବାଦ ପୁଣି ମୁଣ୍ଡ ଟେକିବାର ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶାକୁ ଭାଗ ଭାଗ କରିବା ପାଇଁ ଏହା ଏକ ହୀନ ଉଦ୍ୟମ ବୋଲି ବିରୋଧୀ ଶିବିରରୁ ସମାଲୋଚନା କରାଯାଇଛି । ଜୟନାରାୟଣ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି । ତେବେ ବିଜେପି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।