ଭୁବନେଶ୍ୱର: ବିଧାନସଭାରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିଲା । ଗୃହ ପରିଚାଳନାରେ ଅସନ୍ତୁଷ୍ଟ ବିଜେପିର ଦୁଇ ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଗୃହର ମଧ୍ୟଭାଗକୁ ଚାଲି ଆସି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ସେମାନେ ଡ଼ାଲି ଫିଙ୍ଗିଥିଲେ ।
ଜଣେ ମହିଳା ବାଚସ୍ପତିିଙ୍କ ପ୍ରତି ଏଭଳି ଆଚରଣକୁ ଶାସକଦଳର ସଭ୍ୟମାନେ ତୀବ୍ର ନିନ୍ଦା କରିବା ସହ ସଂପୃକ୍ତ ଦୁଇ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରିବା ପାଇଁ ତତକ୍ଷଣାତ୍ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା । ଏହି ପ୍ରସ୍ତାବକ୍ରମେ ବାଚସ୍ପତି ସେମାନଙ୍କୁ ଚଳିତ ବିଧାନସଭା ଅଧିବେସନରୁ ସସପେଣ୍ଡ୍ କରିଛନ୍ତି । ଚଳିତ ବିଧାନସଭାର ଅବଶିଷ୍ଟ ଅଧିବେଶନରେ ସେମାନେ ଯୋଗଦେଇପାରିବେ ନାହିଁ ।
ତେବେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡାଲି ଫିଙ୍ଗିଥିବା କଥାକୁ ମୋହନ ମାଝୀ ଗଣମାଧ୍ୟମରେ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି । ତାଙ୍କ ହାତରେ ଡାଲି ନ ଥିଲା କି ସେ ଡାଲି ଫିଙ୍ଗିନାହାନ୍ତି ବୋଲି କହିଛନ୍ତି । ପୂର୍ବ ଆକ୍ରୋଶ ଯୋଗୁଁ ଶାସକ ଦଳ ପକ୍ଷରୁ ତାଙ୍କୁ ଏହି ବିବାଦରେ ପୂରାଯାଇଛି ଏବଂ ବିଧାନସଭାରୁ ସସପେଣ୍ଡ କରାଯାଇଛି ବୋଲି ସେ ସଫେଇ ଦେଇଛନ୍ତି ।
ଅନ୍ୟପକ୍ଷରେ, ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବାର ଯଥାର୍ଥନା ପ୍ରତିପାଦନ କରିବାକୁ ଉଦ୍ୟମ କରିଛନ୍ତି ମୁକେଶ ମହାଲିଙ୍ଗ । ଅତୀତରେ ଏହି ଡାଲି ପାଇଁ ତାଙ୍କୁ ମନ୍ତ୍ରିପଦରୁ ବିଦା ହେବାକୁ ପଡ଼ିଥିଲା ବୋଲି ସେ ତାତ୍ସଲ୍ୟ କରିଛନ୍ତି ।