ଭୁବନେଶ୍ୱର: ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଆସନକୁ ଡାଲି ଫିଙ୍ଗି ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ମୁକେଶ ମହାଲିଙ୍ଗ । ଏଭଳି ଅଶୋଭନୀୟ କାର୍ଯ୍ୟ ପାଇଁ ସେମାନେ ଅନୁତପ୍ତ ନୁହଁନ୍ତି । ସେମାନଙ୍କ ଦଳ ବି ଅନୁତପ୍ତ ନୁହେଁ । ଓଲଟି ଦଳୀୟ ନେତାମାନେ ରାଜରାସ୍ତାରେ ଡାଲି ପସରା ଖୋଲି ବାଚସ୍ପତି ପଦରେ ବସିଥିବା ଜଣେ ଦଳିତ ମହିଳାଙ୍କ ଚରିତ୍ର ସଂହାରରେ ମାତିଛନ୍ତି ।
ଏଠି କହିବା ଅନାବଶ୍ୟକ ଯେ ଅତୀତରେ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଥିବା ସମୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଡାଲି ଦୁର୍ନୀତିରେ ଫସିଥିଲେ । ସେହି ମାମଲାରେ ତାଙ୍କୁ ଭିଜିଲାନସ୍ ପକ୍ଷରୁ କ୍ଲିନଚିଟ୍ ମିଳିଥିଲେ ମଧ୍ୟ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ତେବେ ଏହି ଦୁର୍ନୀତି ଅଭିଯୋଗ ତାଙ୍କର ରାଜନୈତିକ କ୍ୟାରିୟର୍ କୁ ପ୍ରଭାବିତ କରିନାହିଁ । ବିଂଝାରପୁରରୁ ସେମିତି ଟିକେଟ ପାଇ ନିର୍ବାଚନ ଲଢ଼ୁଛନ୍ତି ଏବଂ ଜିତୁଛନ୍ତି । ସଂଗଠନ ଓ ସରକାରରେ ତାଙ୍କର ପତିଆରା ବଢ଼ିଚାଲିଛି ।
ବହୁବର୍ଷ ଧରି ସେ ବିଜେଡି ମହିଳା ସଂଗଠନର ନେତୃତ୍ୱ ନେଇଥିଲେ । ୨୦୧୯ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ହୋଇଥିଲେ । ପ୍ରଥମ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳକୁ ଫେରାଇ ଆଣି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଓଜନଦାର ବିଭାଗର କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ । ଆଉ ଏବେ ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି । ବାଚସ୍ପତି ନିର୍ବାଚିତ ହେବା ପରେ ବିରୋଧୀ ଦଳ ପକ୍ଷରୁ ତାଙ୍କର ଗୁଣଗାନ କରାଯିବା ସହ ତାଙ୍କୁ ଉଚ୍ଚ୍ୱସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ବାଚସ୍ପତି ଭାବେ ଦାୟିତ୍ୱ ନେବାର ସପ୍ତାହେ ନ ପୂରୁଣୁ ତାଙ୍କ ଉପରେ ବିଜେପି ଦଳ ପକ୍ଷରୁ ଆରମ୍ଭ ହୋଇଛି ବ୍ୟକ୍ତିଗତ ଆକ୍ରମଣ । ଗୃହ ପରିଚାଳନାରେ ତାଙ୍କର ପକ୍ଷପାତିତାକୁ ପ୍ରଶ୍ନ କରାଯାଇଛି । ବିଜେପି ସଦସ୍ୟମାନେ ଠିକ୍ ଜାଣନ୍ତି ଯେ ବିଧାନସଭା ହେଉ କି ସଂସଦ ହେଉ, ବାଚସ୍ପତିଙ୍କଠାରୁ ନିରପେକ୍ଷତା ଆଶା କରିବାର ବେଳକାଳ ଆଉ ନାହିଁ । ସଂସଦରେ ଓମ୍ ବିର୍ଲା ହୁଅନ୍ତୁ କି ବିଧାନସଭାରେ ପ୍ରମିଳା ମଲ୍ଲିକ ହୁଅନ୍ତୁ, ଗୃହ ପରିଚାଳନାରେ ସରକାରୀ ‘ଠାର’ ପ୍ରଣିଧାନଯୋଗ୍ୟ ହୋଇଛି । ମାତ୍ର ଏହାକୁ ଆଳ କରି ରାଜ୍ୟର ବିଜେପି ନେତାମାନେ ବାଚସ୍ପତି ପଦ ମଣ୍ଡନ କରିଥିବା ଜଣେ ଦଳିତ ମହିଳାଙ୍କ କୁତ୍ସାରଟନାରେ ମାତିଛନ୍ତି ।
କେବଳ ବାଚସ୍ପତି ପ୍ରମିଳା ମଲ୍ଲିକ ନୁହଁନ୍ତି । ଆଉ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା, କୁତ୍ସାରଟନା କରାଯାଉଛି । ସେହି ମହିଳାଙ୍କ ନାଁ ଶ୍ରଦ୍ଧା । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପର୍ଯ୍ୟନ୍ତ ପ୍ରେସମିଟ୍ କରି କିଏ ସେହି ମହିଳା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଭାଟିକାନ୍ ସିଟିକୁ ମୁଖ୍ୟମନ୍ତ୍ରୀ କାହିଁକି ସାଙ୍ଗରେ ନେଇଥିଲେ? ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ଅନୁମତି କାହିଁକି ବୋଲି ପ୍ରଶ୍ନ କରାଯାଇଛି । ବିଜେପି ସୋସିଆଲ୍ ମିଡିଆରେ ଏହି ଶ୍ରଦ୍ଧା ନାମ୍ନୀ ମହିଳାଙ୍କ ଫଟୋ ସାଙ୍ଗରେ କଟୁ ଟିପ୍ପଣୀ ଛାଇ ଯାଇଛି ।
ଉକ୍ତ ମହିଳା ଶ୍ରଦ୍ଧାଙ୍କ ସମ୍ପର୍କରେ ସାଧାରଣରେ ଚର୍ଚ୍ଚା କରିବାପାଇଁ ବିଜେପି ନେତାଙ୍କ ଉତ୍ସୁକତା ପଛରେ ଏକମାତ୍ର କାରଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବା । ଏହି ବୁଦ୍ଧି ସେମାନେ କାହାଠାରୁ ଆଣିଛନ୍ତି ତାହା ଭିନ୍ନ କଥା । ସେଥିରେ ବିଜେପିକୁ କେତେ ସଫଳତା ମିଳିବ ତାହା ସମୟ କହିବ । ମାତ୍ର ଏହାଦ୍ୱାରା ସେମାନେ ଜଣେ ମହିଳାଙ୍କୁ ଅସମ୍ମାନିତ କରୁଛନ୍ତି । ତାଙ୍କର ଚରିତ୍ରକୁ ନେଇ କାଳ୍ପନିକ ଚିତ୍ରଣ କରୁଛନ୍ତି । ଯଦି ତାଙ୍କ ବିଷୟରେ ସଠିତ ତଥ୍ୟ ଅଛି, ତେବେ ତାକୁ ପ୍ରକାଶ କରାଯାଉ । ଏଭଳି କୁତ୍ସାରଟନା କରିବା ଦ୍ୱାରା ଜଣେ ମହିଳାଙ୍କ ମର୍ଯ୍ୟାଦାକୁ କୁଠାରାଘାତ କରାଯାଉନି କି ବୋଲି ପ୍ରଶ୍ନ ଉଠୁଛି ।
ସୂଚନାଥାଉକି, ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ୍ କୁ ଗତକାଲି ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ତାହା ଆଇନରେ ପରିଣତ ହୋଇଛି । ଏହି ଆଇନରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ମହିଳାଙ୍କୁ ଅଧିକାର ଓ ସମ୍ମାନ କ୍ଷେତ୍ରରେ ମୋଦୀ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି । ମାତ୍ର ଠିକ୍ ଏତିକିବେଳେ ଓଡ଼ିଶା ବିଜେପିର ଉପରୋକ୍ତ ଦୃଷ୍ଟିଭଙ୍ଗୀ ଦଳ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି ।