ଭୁବନେଶ୍ୱର: ମନମୋହନ ସାମଲ ଖାଲି ନାଁ କୁ ମାତ୍ର । କାର୍ଯ୍ୟକ୍ଷେତ୍ରରେ କିନ୍ତୁ ଅପରାଜିତା ଷଡ଼ଙ୍ଗୀ । ଦଳ ପରିଚାଳନାର ରିମୋଟ୍ ସମ୍ଭବତଃ ଅପରାଜିତାଙ୍କ ହାତରେ ଧରାଇ ଦେଇଛନ୍ତି ମନମୋହନ । ନିଜ ଦସ୍ତଖତରେ ଅପରାଜିତାଙ୍କ ଇଚ୍ଛାକୁ ଅନୁପାଳନ କରିବା ତାଙ୍କର ଏକମାତ୍ର ଦାୟିତ୍ୱ ହୋଇଛି । ପୂର୍ବରୁ ବସନ୍ତ ପଣ୍ଡା, ସମୀର ମହାନ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଖୀ କଣ୍ଢେଇ କୁହାଯାଉଥିବା ବେଳେ ମନମୋହନ, ଅପରାଜିତାଙ୍କ ସଖୀ କଣ୍ଢେଇ ହୋଇଛନ୍ତି । ରାଜ୍ୟ ବିଜେପି ମହଲରେ ଏହାକୁ ନେଇ ରୋଚକ ଚର୍ଚ୍ଚା ହେଉଛି ।
ମନମୋହନ ସାମଲ ରାଜ୍ୟ ସଭାପତି ଦାୟିତ୍ୱ ପାଇବାର ୧୦ ମାସ ବିତିଗଲାଣି । ସମସ୍ତଙ୍କୁ ଏକାଠି ନେଇ ଚାଲିବେ ବୋଲି ଦାୟିତ୍ୱ ଗ୍ରହଣ କରିବା ଦିନ ଦୃଢ଼ତା ଦେଖାଇଥିଲେ । ସଂଗଠନ କାର୍ଯ୍ୟ ପାଇଁ ନିଜେ ଶୋଇବେ ନାହିଁ କି କାହାରିକୁ ଶୁଆଇ ଦେବେ ନାହିଁ ବୋଲି ଆହ୍ୱାନ ଦେଇଥିଲେ । ମାତ୍ର ତାଙ୍କ କଥା ସେ ରଖିପାରିନାହାନ୍ତି । ଓଲଟି ରାଜ୍ୟ ବିଜେପି ସଂଗଠନଠାରୁ ନିଜକୁ ଉପରେ ରଖୁଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ମାର୍ଗଦର୍ଶକ ମାନି ତାଙ୍କ କଥାରେ ପରିଚାଳିତ ହେଉଥିବା କୁହାଯାଉଛି । ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଗୋଷ୍ଠୀକୁ ଖତମ କରିବା କୁଆଡ଼େ ଏହି ଯୋଡିଙ୍କର ପ୍ରାଥମିକ କାର୍ଯ୍ୟ ହୋଇଛି । ଏଥିପାଇଁ ଅପରାଜିତା ଦିଲ୍ଲୀରୁ ବଳ ଆଣିଛନ୍ତି ଏବଂ ତାଙ୍କ ଯୋଜନାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମନମୋହନ ।
ଗତ ନିର୍ବାଚନରେ ରାଜ୍ୟ ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ଚେହେରା ଥିଲେ ଧର୍ମେନ୍ଦ୍ର ପ୍ରଧାନ । ଦଳର ଯାବତୀୟ କଥା ବୁଝୁଥିଲେ । ତାଙ୍କରି ନେତୃତ୍ୱରେ ରାଜ୍ୟ ବିଜେପି କର୍ମୀମହଲ ଚଳଚଞ୍ଚଳ ହୋଇଥିଲଶ । ମାତ୍ର କ୍ଷମତାର ଗର୍ବ ଓ ଅହଂକାରରେ ସେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରି ଦେଇଥିଲେ । ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ତାଙ୍କ ନେତୃତ୍ୱରେ ବିଜେପିର ଓଡ଼ିଶା ଦଖଲ ସ୍ୱପ୍ନ ଏକ ଧୂଆଁବାଣ ହୋଇଗଲା । ଏଥର ଓଡ଼ିଶାରେ ତାଙ୍କର ସେହି ପୂର୍ବ କାଟତି ଆଉ ନାହିଁ । ଓଲଟି ମନମୋହନ-ଅପରାଜିତାଙ୍କ ଶିବିର ତାଙ୍କୁ ଧୂଳିସାତ୍ କରିଦେବା ଯୋଜନାରେ ରହିଥିବା ଦଳୀୟ ମହଲରେ ଚଚ୍ଚୟା ହେଉଛି । ବର୍ତ୍ତମାନର ପରିସ୍ଥିତି ଏମିତି ହୋଇଛି ଯେ ଧର୍ମେନ୍ଦ୍ର କେଉଁଠୁ ଲଢ଼ିବେ ତାହା ନିଜେ ସ୍ଥିର କରିପାରୁନାହାନ୍ତି । କାରଣ ଉଭୟ ସମ୍ବଲପୁର ଓ ଢ଼େଙ୍କାନାଳରେ ତାଙ୍କ ନିଜ ଦଳରୁ ବିପଦ ଜଳ ଜଳ ଦିଶୁଛି ।
ଧର୍ମେନ୍ଦ୍ର ନିଜର ସ୍ଥିତି ରଖିବା ଚିନ୍ତାରେ ଥିବା ବେଳେ ତାଙ୍କର ଅନୁଗତ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇଛନ୍ତି । ଧର୍ମେନ୍ଦ୍ର ନିପାତ ଯୋଜନାର ଷଡ଼ଯନ୍ତକାରୀ ଭାବେ ସେମାନେ ମନମୋହନ-ଅପରାଜିତାଙ୍କୁ ଟାର୍ଗେଟ୍ କରି ଗୋଟି ଚାଳନା କରୁଥିବା ଜଣାପଡ଼ିଛି । ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଦଳୀୟ କନ୍ଦଳ ତୀବ୍ର ରୂପ ନେବାକୁ ଯାଉଛି । ଉଭୟ ଗୋଷ୍ଠୀ ଛକାଛକିରେ ଅଛନ୍ତି । ଭୁବନେଶ୍ୱରରେ ବିଜେଡିର ସମ୍ଭାବ୍ୟ ଦୁର୍ବଳ ପ୍ରାର୍ଥୀଙ୍କ ପାଇଁ ଅପରାଜିତା ନିଜକୁ ସୁରକ୍ଷିତ ରଖିଥିଲେ ମଧ୍ୟ ମନମୋହନ ସାମଲ କିନ୍ତୁ ନିଜ ଜିଲ୍ଲା ଭଦ୍ରକରେ ବିଜେପି ସ୍ଥିତିକୁ ସୁଦୃଢ଼ କରିପାରିନାହାନ୍ତି । ନିଜର ଚାନ୍ଦବାଲି ଆସନରେ ମଧ୍ୟ ତାଙ୍କର ସ୍ଥିତି ନୈରାଶଜନକ ରହିଛି । ତାଙ୍କୁ ଅପରିଣାମଦର୍ଶୀ, ବିଶୃଙ୍ଖଳିତ ରାଜନେତା ତଥା ବିଶ୍ୱାସଘାତକତାର ପୃଷ୍ଠପୋଷକ ବୋଲି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱକେଶରୀ ମହାନ୍ତି ଏକ ଚିଠିରେ ଜଣାଇ ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି ।
ମନମୋହନଙ୍କୁ ଦେଇଥିବା ଚିଠିରେ ବିଶ୍ୱକେଶରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାର ଅବତାରଣା କରିଛନ୍ତି । ଆପଣଙ୍କ ସମ୍ପର୍କରେ ଏତେ ଗହନସ୍ତରର କଥା ଓ ଅଭିଯୋଗ ଅଛି ଯାହା ଉଲ୍ଲେଖ କରି ହେବ ନାହିଁ । କାରଣ ତାହାର କୁପ୍ରଭାବ ସମାଜ, ଦଳର ଅନ୍ୟ କର୍ମୀମାନଙ୍କ ଉପରେ ପଡ଼ିବା ନିଶ୍ଚିତ । ଜଣେ ଶୃଙ୍ଖଳିତ ମଣିଷ ହିସାବରେ ସେହିସ୍ତରକୁ ଯାଇ ସର୍ବ ସମ୍ମୁଖରେ ପ୍ରକାଶ କରିବା ମୋ ପାଇଁ ସମ୍ଭବ ନୁହେଁ ବୋଲି ସେ ଲେଖିଛନ୍ତି ।
ସର୍ବୋପରି ସାଧାରଣ ନିର୍ବାଚନ ବେଳେ ରାଜ୍ୟ ବିଜେପିକୁ ନେତୃତ୍ୱ ଦେବାରେ ମନମୋହନ ବିଫଳ ବୋଲି ତାଙ୍କର ଦଳର ଅନେକ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି । ଗତଥର ଧର୍ମେନ୍ଦ୍ର ଯେଉଁ ଭୁଲ୍ କରିଥିଲେ ଏଥର ମନମୋହନ-ଅପରାଜିତା ଯୋଡି ତାହାର ପୁନରାବୃତ୍ତି କରିବାକୁ ଯାଉଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶ୍ୱାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କି ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ଖାଲିତ ନିର୍ବାଚନ ପ୍ରଚାର କରିଦେଲେ ହେବନି । ସବୁ ନେତାଙ୍କୁ ଏକାଠି ସାଙ୍ଗରେ ନେଇ ତୃଣମୂଳସ୍ତରରୁ ନ ଲଢ଼ିଲେ ଶକ୍ତିଶାଳୀ ବିଜେଡିକୁ ପରାସ୍ତ କରିବା ସହଜ ନୁହେଁ ବୋଲି ସେମାନେ କହିଛନ୍ତି ।







