ଭୁବନେଶ୍ୱର: ବିଜେପିର ଓଡ଼ିଶା ଦଖଲ ଉଦ୍ୟମର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହୋଇଛି । ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନ-ସୁନୀଲ ବଂଶଲ ଏହାର ନେତୃତ୍ୱ ନେଉଥିବା କୁହାଯାଉଛି । ପ୍ରଭାରୀ ଶ୍ରୀ ବଂଶଲ ଥରେ ଦି ଥର ଓଡ଼ିଶା ଆସିବା ପରେ ଆଉ ଦେଖାଯାଉ ନ ଥିଲେ ମଧ୍ୟ ଧର୍ମେନ୍ଦ୍ର କିନ୍ତୁ ଦିଲ୍ଲୀ ରହଣୀ କମେଇ ଦେଲେଣି । ଏବେ ଓଡ଼ିଶା ପାଇଁ ବେଶୀ ସମୟ ଦେଉଛନ୍ତି । ଠିକ୍ ୨୦୧୯ ସାଧାରଣ ନିର୍ବାଚନ ଭଳିଆ ।
ଏହି ପରିପ୍ରେକ୍ଷୀରେ ଆଜି ଗଣମାଧ୍ୟମକୁ ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଦଳ ଦୁଇ ସୂତ୍ରୀ ଉପାୟକୁ ଆଧାର କରି ନିର୍ବାଚନ ଲଢ଼ିବ । ପ୍ରଥମ ହେଉଛି- ଗରିବ, ମହିଳା, ଜନଜାତି ଏବଂ ଯୁବବର୍ଗଙ୍କର ଥିବା ଆକାଂକ୍ଷାକୁ ଦଳ ପ୍ରତିନିଧିତ୍ୱ କରିବ । ସ୍ଥାନୀୟ ସରକାର ବିରୋଧରେ ଥିବା ଅସନ୍ତୋଷକୁ ହାଇଲାଇଟ୍ କରିବ । ଦ୍ୱିତୀୟରେ, ରାଜ୍ୟର ୩୭ ହଜାରରୁ ଅଧିକ ବୁଥ୍ ରେ ସାଂଗଠନିକ କାର୍ଯ୍ୟକୁ ଅଧିକ ମଜବୁତ୍ କରାଯିବ ।
ଧର୍ମେନ୍ଦ୍ର ପୁଣି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ବାର୍ତ୍ତାକୁ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପହଞ୍ଚାଯିବ । ଏଥିପାଇଁ ଦଳ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି ।
ଉଲ୍ଲେଖଥାଉକି, ଅମିତ୍ ଶାହା ଗତ ଅଗଷ୍ଟ ମାସରେ ଓଡ଼ିଶା ଆସିଥିଲେ । ତାଙ୍କର ବନ୍ଧୁ ଭର୍ତ୍ତୃହରି ମହତାବଙ୍କ ଖବରକାଗଜ ‘ପ୍ରଜାତନ୍ତ୍ର’ ର ବାର୍ଷିକୋତ୍ସବରେ ଯୋଗଦେଇ ଦିଲ୍ଲୀ ଫେରିଯିବା ପୂର୍ବରୁ ଭୁବନେଶ୍ୱରରେ ବୈଠକ କରି ଦଳର ସ୍ଥିତି ପରଖିଥିଲେ । ଦୁର୍ବଳ ସାଂଗଠନିକ ସ୍ଥିତି ସମ୍ପର୍କରେ ଅବଗତ ହୋଇ ଦିଲ୍ଲୀ ଫେରିଥିଲେ ।
ଶାହାଙ୍କ ଗସ୍ତର ଦିନକ ପରେ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଓ ଦକ୍ଷ ସୁନୀଲ ବଂଶଲଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିଲା । ଓଡ଼ିଶା ବିଜେପିକୁ ଅଧିକ ଶକ୍ତିଶାଳୀ କରିବାକୁ ଶାହାଙ୍କ ଯୋଜନା ସ୍ପଷ୍ଟ ହୋଇଥିଲା ।
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଶ୍ରୀ ବଂଶଲ ପ୍ରଥମ ଓଡ଼ିଶା ଗସ୍ତରେ ଆସି ମାରାଥନ୍ ବୈଠକ କରିଥିଲେ । ଯିବା ପୂର୍ବରୁ ତିନି ମାସର ଖସଡ଼ା ପ୍ରସ୍ତୁତ କରିଥିଲେ । ମୁଖ୍ୟ ଥିଲା, ବୁଥ୍ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା । ୩୭ ହଜାର ବୁଥ୍ କୁ ସଶକ୍ତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କୁହାଗଲା ।
ସେପ୍ଟେମ୍ବର ୧୩, ୧୪,୧୫ରେ ପୁରୀଠାରେ ଦଳର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଦଳୀୟ ନେତାଙ୍କ ମଧ୍ୟରେ ପ୍ରବଳ ଜୋସ୍ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଶେଷରେ ନେତାମାନେ ଗଣମାଧ୍ୟମରେ ଧୂଆଁଧାର ବୟାନବାଜି କରିଥିଲେ । ବଙ୍ଗଳା ଷ୍ଟାଇଲରେ ଏଥର ଓଡ଼ିଶା ନିର୍ବାଚନ ଲଢ଼ାଯିବ ବୋଲି କହିଥିଲେ ।
ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓଡ଼ିଶା ଆସିଥିଲେ । ଡିସେମ୍ବର ଶେଷରେ ମଧ୍ୟ ଆଉ ଥରେ ଆସିଥିଲେ । ଦୁଇଥର ଯାକ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଉଦ୍ୟମ କରିଥିଲେ । ଏମିତିରେ, ଓଡ଼ିଶାରେ ଧର୍ମେନ୍ଦ୍ର ପୁନର୍ବାର ସକ୍ରିୟ ହୋଇଛନ୍ତି । ଦଳକୁ ଜିତାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରୁଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ଆସି ବିଜେଡି ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ।
ଏତେସବୁ ସତ୍ତ୍ୱେ ଦଳର ସାଂଗଠନିକ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏହା ଭିତରେ କେବଳ ଧାମନଗର ଉପନିର୍ବାଚନ ବିଜୟକୁ ଛାଡ଼ିଦେଲେ ବୁଥ୍ ଓ ସାଂଗଠନିକସ୍ତରରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ । ୧୫ ହଜାରରୁ ଅଧିକ ବୁଥ୍ କୁ ସଜାଡ଼ିବାରେ ଦଳ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ । ରାଜ୍ୟସ୍ତରୀୟ ନେତାମାନେ ସାଂଗଠନିକ କାମ ଛାଡ଼ି କେବଳ ଭାଷଣବାଜି ଓ ନିଜ ପ୍ରଚାରରେ ମାତିବା ଧାରା ଜାରି ରଖିଛନ୍ତି । ତୃଣମୂଳସ୍ତରରେ ସଂଗଠନକୁ ସଜାଡ଼ିବାର ଦାୟିତ୍ୱ କାହାରି ଥିଲା ଭଳିଆ ଲାଗୁନାହିଁ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି ।
ଗୋଟେ ପଟେ ବିଜେଡି ତା’ର ସାଂଗଠନିକ କାର୍ଯ୍ୟକ୍ରମକୁ ବ୍ୟାପକରୁ ବ୍ୟାପକ କରୁଥିଲା ବେଳେ ବିଜେପି କୋର୍ସ କରେକ୍ସନ୍ ରେ ପଛରେ ପଡ଼ିଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି । କେବଳ ଭାଷଣବାଜି ନ କରି, ଧର୍ମେନ୍ଦ୍ର ପ୍ରଧାନ ଏହାର ଗୁରୁଦାୟିତ୍ୱ ନିଅନ୍ତୁ ବୋଲି ସେମାନେ କହିଛନ୍ତି ।