ଭୁୁବନେଶ୍ୱର: ସାଂଗଠନିକ ଦୃଷ୍ଟିକୋଣରୁ ନିଷ୍ପ୍ରଭ ହୋଇପଡ଼ିଥିବା ରାଜ୍ୟ ବିଜେପି ଶିବିରରେ ନୂଆ ଜୋସ୍ ଦେଖିବାକୁ ମିଳିଛି । ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ସୁନିଲ ବଂଶଲ ଆଜି ପ୍ରଥମ ଥର ଓଡ଼ିଶା ଆସିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ରାଜ୍ୟ ନେତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଅପରାହ୍ନରେ ଶ୍ରୀ ବଂଶଲ ରାଜ୍ୟର ପଦାଧିକାରୀମାନଙ୍କ ସହ ପରିଚିତ ହୋଇଥିଲେ । ଏଥିସହ ସାଂଗଠନିକ ସ୍ଥିତି ଏବଂ ବିଭିନ୍ନ ବିଷୟ ନେଇ ଦଳର ସଭାପତିଙ୍କ ସମେତ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆସନ୍ତାକାଲି ସେ କୋର୍ କମିଟି ସଦସ୍ୟ, ଜିଲ୍ଲା ପ୍ରଭାରୀ, ଦଳର ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିବେ । ଦଳର ୨୦୨୪ ରଣନୀତି ପ୍ରସ୍ତୁତିର ଏହା ପ୍ରଥମ ପର୍ବ ବୋଲି କୁହାଯାଉଛି । ଓଡ଼ିଶାରେ ସଂଗଠନକୁ ମଜବୁତ୍ କରିବା ସହ ରାଜ୍ୟ ସରକାରଙ୍କ ବିଫଳତା ଏବଂ କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ପାଖକୁ ନେବା ପାଇଁ ରଣନୀତି ପ୍ରସ୍ତୁତ ହେବ । ସେପ୍ଟେମ୍ବର ଶେଷ ସପ୍ତାହ ବେଳକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଆସିବା ପରେ ଏହା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି ।
ଦାୟିତ୍ୱ ପାଇଲା ପରେ ଶ୍ରୀ ବଂଶଲଙ୍କ ଆଜିର ଏହି ଗସ୍ତ ପରିପ୍ରେକ୍ଷୀରେ ଦଳରେ ଏକଘରିକିଆ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହାବଭାବ ଆଜି ଦଳୀୟ ମହଲରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା । ଶ୍ରୀ ବଂଶଲଙ୍କର ଓଡ଼ିଶା କାର୍ଯ୍ୟକ୍ରମ ବହୁ ଆଗରୁ ନିର୍ଦ୍ଧାରିତ ହୋଇଥିବା ଜାଣି ମଧ୍ୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସେଥିପ୍ରତି ଗୁରୁତ୍ୱ ନ ଦେଇ ଆଜି ଦିନ ୧୧ଟା ବେଳେ ତାଙ୍କ ଅଫିସ୍ ରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ତେବେ ଏହା ଉପଯୁକ୍ତ ସମୟ ନୁହେଁ ବୋଲି ସାଂସଦଙ୍କୁ ଉପରୁ ତାଗିଦ୍ ହେବା ପରେ ସେ ଶେଷ ମୁହୁର୍ତ୍ତରେ ବାତିଲ କରିଥିବା କୁହାଯାଉଛି ।
ଏଥିସହ ସଂସଦୀୟ କମିଟି ବୈଠକର ଆଳ ଦେଖାଇ ଅପରାଜିତା ଅଜି ହଠାତ୍ ଦିଲ୍ଲୀ ଯିବା ପାଇଁ ବାହାରିଥିଲେ । ଆଉ ଆଗୁଆ ଦିନ ୧ଟା ବେଳକୁ ବିମାନବନ୍ଦରରେ ଯାଇ ପହଞ୍ଚିଥିଲେ । ସେତେବେଳେ ପ୍ରଭାରୀ ଶ୍ରୀ ବଂଶଲ ଦିଲ୍ଲୀରୁ ଆସି ସାରିଥିଲେ । ରାଜ୍ୟ ନେତାମାନେ ତାଙ୍କୁ ପାଛୋଟି ନେବାକୁ ଲବିରେ ଅପେକ୍ଷା କରିଥିବାର ଖବର ପାଇ ସାଂସଦ ତରବରରେ ସେଠାକୁ ଯାଇଥିଲେ । ଶ୍ରୀ ବଂଶଲଙ୍କୁ ସେଠାରେ ସ୍ୱାଗତ ଜଣାଇ ତାଙ୍କ ସହ ଲବିରୁ ବାହାରିଥିଲେ ଏବଂ ଉପରେ ପଡ଼ି ତାଙ୍କୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାଡ଼ିବାକୁ ଆସିଥିଲେ । ସେଠାରୁ ବିମାନବନ୍ଦର ଫେରି ଦିଲ୍ଲୀ ଯାଇଥିଲେ ।
ନୂଆ ପ୍ରଭାରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟ ବିଜେପି ନେତାମାନଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ସାଂସଦ ଅପରାଜିତାଙ୍କର ସେହି ଗୋଠ ଖଣ୍ଡିଆ ନୀତି ଚର୍ଚ୍ଚାର ବିଷୟ ହୋଇଛି । ନିଜର ଅହଂକାର ସ୍ୱଭାବ ପାଇଁ ରାଜ୍ୟ ବିଜେପିରୁ ସେ ଯେ ଏକଘରିକିଆ ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ଏପରି ହୋଇଛି ଯେ ନୂଆ ପ୍ରଭାରୀଙ୍କ ସହ ସାଂସଦଙ୍କର ଫଟୋକୁ ବିଜେପି ନେତାମାନେ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସ୍ଥାନ ଦେଇନାହାନ୍ତି ।