ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଭୁବନେଶ୍ୱର ଫେରିବେ । ନୂଆଦିଲ୍ଲୀର କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇ ଭୁବନେଶ୍ୱର ଫେରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇବା ପାଇଁ ବିରାଟ ଆୟୋଜନ କରାଯାଇଛି । ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଅଣାଯାଇ ଏକ ବିଶାଳ ପଟୁଆରରେ ନବୀନ ନିବାସ ନିଆଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ୫୦ ହଜାରରୁ ଅଧିକ ବିଜେଡି କର୍ମୀ ଏଥିରେ ସାମିଲ ହେବେ । କୋଭିଡ୍ ପରେ ପ୍ରଥମ ଥର ପାଇଁ ବିଜେଡିର ଏହି ବିରାଟ ଆୟୋଜନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ୩୦ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯିବ ।
ମଙ୍ଗଳବାର ଦିନ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ପୁରୁଣା ବିମାନବନ୍ଦର ଗେଟ୍ ଦେଇ ମୁଖ୍ୟମନ୍ତ୍ରୀ ବାହାରିବା ବେଳେ ବିଜେଡିର ବିଧାୟକ ଓ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଆଣିବେ । ସେମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ସେଠାରୁ ଏକ ସ୍ୱତନ୍ତ୍ର ବସ୍ ରେ ନବୀନ ନିବାସ ଅଭିମୁଖେ ବାହାରିବେ । ବିମାନବନ୍ଦର ପ୍ରବେଶପଥରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିବା ପରେ ନବୀନ ନିବାସ ଯାଏ ତାଙ୍କୁ ପଟୁଆରରେ ନିଆଯିବ ।
ପୁରୁଣା ବିମାନବନ୍ଦରରୁ ନବୀନ ନିବାସ ଯାଏ ବିରାଟ ହୋର୍ଡିଂ ଛାଇ ହୋଇଯାଇଛି । ଏଥିସହ ଏକାଧିକ ମଞ୍ଚ ପ୍ରସ୍ତୁତ କରାଯାଇଛି । ସେହି ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢ଼େମସା, ସମ୍ବଲପୁରୀ ଭଳି ପାରମ୍ପରିକ ନୃତ୍ୟ ଏବଂ ବାଜା ପରିବେଷଣ କରାଯିବ ।
ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ବରେ ସାମିଲ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ କର୍ମୀ ଆସୁଛନ୍ତି । ବିଧାୟକମାନଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି । କାଲି ସକାଳ ୭ଟା ସୁଦ୍ଧା ସମସ୍ତେ ଭୁବନେଶ୍ୱରରେ ପହଞ୍ଚିବା ପାଇଁ କୁହାଯାଇଛି । ୫୦ ହଜାର କର୍ମୀଙ୍କୁ ଏହି ସ୍ୱାଗତ ପର୍ବରେ ସାମିଲ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ସଂଖ୍ୟା ଲକ୍ଷେ ଛୁଇଁଯିବ ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କର ଏହି ବିଶାଳ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦାୟ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ବିଭିନ୍ନ ଜାଗାରେ ମୁତୟନ କରାଯିବ । ସହରରେ ଟ୍ରାଫିକ୍ ନିୟନ୍ତ୍ରଣକୁ ପୁଲିସ ଅଧିକ ଗୁରୁତ୍ୱ ଦେଇଛି । ଅତିରିକ୍ତ ତିନୋଟି ଜାଗାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଗାଡ଼ି ପାର୍କି ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ବିମାନରେ ଯାତ୍ରା କରିବାକୁ ଥିବା ଲୋକମାନେ ଧାର୍ଯ୍ୟ ସମୟର ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚି ଯିବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।