ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟର ନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କ ନେତୃତ୍ୱରେ ବିଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଦ୍ରୁତ ବିକାଶ ସମ୍ଭବ ହୋଇପାରିଛି । ନିଜର ସରଳତା, ଦରଦୀ ହୃଦୟ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିଛନ୍ତି । ଖାଲି ଓଡ଼ିଶା ନୁହେଁ, ନିଜର ଶାସନ ବ୍ୟବସ୍ଥା ବଳରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମଗ୍ର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବିଜୁ ପଟ୍ଟନାୟକଙ୍କର ଏହି ସୁପୁତ୍ର ୧୯୯୭ ମସିହାରେ ରାଜନୀତିରେ ପାଦ ଦେଇଥିଲେ । ୫୧ ବର୍ଷ ବୟସରେ ରାଜନୀତି ଆରମ୍ଭ କରିଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଉଚ୍ଚ ବ୍ୟକ୍ତିତ୍ୱ, ବରିଷ୍ଠ ନେତୃତ୍ୱ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଲୋକପ୍ରିୟତାର ଶୀର୍ଷରେ ରଖିଛି । ସେ ହୋଇଯାଇଛନ୍ତି ରାଜ୍ୟର ଅପ୍ରତିଦ୍ୱନ୍ଦୀ ନେତା । ତାଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ରାଜ୍ୟ ନୂଆ ସୋପାନରେ ପହଞ୍ଚିଛି । ନବୀନଙ୍କ ସଫଳ ଶାସନ ଏବଂ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
ଏକଦା ଭୋକର ଭୂଗୋଳ କୁହାଯାଉଥିବା ଓଡ଼ିଶାରେ ଏବେ ଭୋକରେ କେହି ମରୁନାହାନ୍ତି । ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିଛି । ଦାରିଦ୍ର ଓ ଅନାହାର ମୃତ୍ୟୁ ପାଇଁ ଓଡ଼ିଶା ଆଉ ବଦନାମ ହେଉନାହିଁ । ଖାଦ୍ୟ ସୁରକ୍ଷାରେ ଓଡ଼ିଶା ନମ୍ବର ୱାନ୍ ରାଜ୍ୟ ହୋଇପାରିଛି ।
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱ ମଡ଼େଲ ହୋଇପାରିଛି । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲେ ମଧ୍ୟ ଦକ୍ଷ ପରିଚାଳନା ପାଇଁ ଜିରୋ କାଜୁଆଲିଟି ସମ୍ଭବ ହୋଇପାରୁଛି । ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ଜାତିସଂଘ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ।
ମହିଳା ସଶକ୍ତିକରଣରେ ମଧ୍ୟ ଓଡ଼ିଶା ଆଜି ବହୁତ ଆଗରେ । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ରାଜନୈତିକ ଓ ଅର୍ଥନୈତିକ ସ୍ୱାବଲମ୍ବି କରାଯାଇପାରିଛି । ସାରା ରାଜ୍ୟରେ ମହିଳା ସ୍ୱୟଂ ସହାୟକ ସଂଘ ଏକ ଆନ୍ଦୋଳନ ରୂପେ ଉଭା ହୋଇଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ମହିଳାଙ୍କ ଭାଗିଦାରୀ ବଢ଼ାଇବା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ନବୀନ । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାରକୁ ୫୦% ବୃଦ୍ଧି କରିଛନ୍ତି । ସାଧାରଣ ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ଦାବି କରି ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
କୃଷି ଏବଂ କୃଷକ ସଶକ୍ତିକରଣରେ ମଧ୍ୟ ରାଜ୍ୟ ବହୁତ ଆଗକୁ ଯାଇଛି । ସ୍ୱତନ୍ତ୍ର କୃଷି ବଜେଟ୍ ଆକାର ୨୫ ହଜାର କୋଟିରେ ପହଞ୍ଚିଛି । ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ କର୍ଯ୍ୟକ୍ରମ ହେଉଛି । କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି ।
କେବଳ କୃଷକ ନୁହଁନ୍ତି, ଗରିବଙ୍କ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବିଜୁ ପକ୍କା ଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କାଘର ଯୋଗାଇବା ଏବଂ ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳରେ ବାସହରାଙ୍କୁ ଜାଗା ମିସନ୍ ଜରିଆରେ ଜମି ଅଧିକାର ପ୍ରଦାନ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।
ସ୍ୱାସ୍ଥ୍ୟସେବାରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସେବା ମିଳୁଛି । ନବୀନ ପଟ୍ଟନାୟକଙ୍କର ଏହି ଯୋଜନା ସର୍ବଭାରତୀୟସ୍ତରରେ ବେଶ୍ ଆଦୃତ ଲାଭ କରିଛି । କୋଭିଡ୍ ମହାମାରୀ ମୁକାବିଲାରେ ନବୀନଙ୍କ ପଦକ୍ଷେପ ସବୁଆଡୁ ପ୍ରଶଂସିତ ହୋଇଛି । ସଙ୍କଟ ବେଳେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ସିଲିଣ୍ଡର୍ ଯୋଗାଇ ନିଜର ମହାନତା ଦେଖାଇଛନ୍ତି ।
ଶିକ୍ଷାକ୍ଷେତ୍ରରେ ମଧ୍ୟ ବୈପ୍ଲବିକ ପରିବର୍ତ୍ତନ ଆସିପାରିଛି । ସରକାରୀ ସ୍କୁଲରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯାଇଛି ଏବଂ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍ମାର୍ଟ କ୍ଲାସରୁମ୍ ସୃଷ୍ଟି କରାଯାଇଛି ।
ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବାରେ ନବୀନଙ୍କ ଉଦ୍ୟମ ମଧ୍ୟ ବେଶ୍ ପ୍ରଶଂସନୀୟ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ଓଡ଼ିଶାରେ ପୁଞ୍ଜି ନିବେଶ ଅଧିକରୁ ଅଧିକ ବଢ଼ାଇବା ପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ ଚଳାଇଛନ୍ତି । ଏମଏସଏମଇରେ ମଧ୍ୟ ବହୁତ ଉନ୍ନତି ଅଣାଯାଇଛି । ଦକ୍ଷତା ବିକାଶ ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ସଶକ୍ତ କରାଯାଇଛି ।
ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ହବ୍ ରେ ପରିଣତ କରିବା ପାଇଁ ନବୀନ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ହକିର ବିକାଶ ପାଇଁ ତାଙ୍କ ଅବଦାନକୁ ଅନ୍ତର୍ଜାତୀୟ ସ୍ୱୀକୃତି ମିଳିଛି ।
ଆଦିବାସୀମାନଙ୍କର ବିକାଶ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ନିଆଯାଇଛି । ଜଙ୍ଗଲ ଅଧିକାର ଆଇନ ଅଧୀନରେ ଆଦିବାସୀମାନଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହୋଇଛି । ସ୍ୱତନ୍ତ୍ର କାଉନସିଲ୍ ଜରିଆରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଣ ନୂଆ ଧାରା ସୃଷ୍ଟି ହୋଇଛି । ୫ ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା ହୋଇଛି ।
ମାଓ ମୁକାବିଲାରେ ରାଜ୍ୟକୁ ବେଶ୍ ସଫଳତା ମଳିଛି । କେବଳ ମାଓମାନଙ୍କୁ ଦମନ ନୁହେଁ, ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିଛି ।
ରାଜ୍ୟର ଐତିହ୍ୟ, ସଂସ୍କୃତିର ସୁରକ୍ଷା ଓ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ନବୀନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର, ସମ୍ବଲପୁର ମା ସମଲେଶ୍ୱରୀ ମନ୍ଦିର, ଗଞ୍ଜାମ ତାରାତାରିଣୀ ମନ୍ଦିର, କଣ୍ଟିଲୋ ନୀଳମାଧବ ମନ୍ଦିର, ଯାଜପୁର ବିରଜା ମନ୍ଦିର ସବୁଠି ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସରକାରୀ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଯାଉଛି । ଉତ୍ତମ ପ୍ରଶାସନରେ ୫-ଟି ଏକ ପ୍ରମୁଖ ଭୂମିକା ନେଇଛି । ଦୁର୍ନୀତିକୁ ଜିରୋ ଟଲେରାନ୍ସ ନୀତି କରିଥିବା ନବୀନ ୫-ଟି ଛାଟ ଧରି ଦୁର୍ନୀତିଖୋରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।