ଦିଲ୍ଲୀ ବୈଠକ ଗୁରୁତ୍ୱପୂର୍ଣ୍ଣ ଥିଲା: ମୁଖ୍ୟମନ୍ତ୍ରୀ
ଆଲୋଚନା ସାର୍ବଜନୀନ କର: ବିଜେଡି
ଭୁୁବନେଶ୍ୱର: ନୂଆଦିଲ୍ଲୀରେ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକରେ ଯୋଗଦେବା ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଣମାଧ୍ୟମକୁ ଏହି ସଫେଇ ଦେଇଛନ୍ତି । ୩୦ ତାରିଖ ଦିନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇଙ୍କ ସହିତ ସେ ଯୋଗଦେଇଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ହୋଇଥିଲା। ବୈଠକରେ ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାର, ଚାଷୀକୂଳର ହିତ ଏବଂ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ସମାଧନର ପନ୍ଥା ନିର୍ଦ୍ଧାରଣ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷଙ୍କ ଅଧୀନରେ ଗଠିତ ଟେକ୍ନିକାଲ୍ କମିଟି ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲକୁ ଏହାର ରିପୋର୍ଟ ପ୍ରଦାନ କରିବ । ଏହାଦ୍ୱାରା ମହାନଦୀ ଜଳ ସମସ୍ୟାର ସମାଧାନ ବାହାରିବ ଏବଂ ଆସନ୍ତା ଦୀପାବଳୀ ଆମ ପାଇଁ ଶୁଭଙ୍କର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।







