ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ହିଂସ୍ର ଆଚରଣ ଦେଖିବାକୁ ମିଳିଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରତିବାଦ କରିବାକୁ ଯାଇ ସେମାନେ ନିଜେ ଆଇନକୁ ହାତକୁ ନେଇଥିଲେ । ବିଧାନସଭା ଘେରାଉ ଆନ୍ଦୋଳନରେ ସାମିଲ ହୋଇଥିବା ଯୁବମୋର୍ଚ୍ଚା କର୍ମୀମାନେ ପୁଲିସକୁ ଢ଼େଲାପଥର, ଅଣ୍ଡା, ପାଣିବୋତଲ ମାରି ଲହୁ ଲୁହାଣ କରିଛନ୍ତି । ଯୁବମୋର୍ଚ୍ଚା କର୍ମୀଙ୍କ ଆକ୍ରମଣରେ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ୨୧ ପୁଲିସ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଏସିପି ଶ୍ରୀ ମହାପାତ୍ର ଏବଂ ସବଇନସପେକ୍ଟର ଦେବରଂଜନ ମହାପାତ୍ରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ପୁଲିସ ଲାଠିମାଡ଼ରେ ମଧ୍ୟ ଅନେକ ଯୁବମୋର୍ଚ୍ଚା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି ।








