ବ୍ରହ୍ମପୁର/ଭୁବନେଶ୍ୱର: ବ୍ରହ୍ମପୁରଠାରୁ ୨୬ କିମି ଦୂର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଗତକାଲି ରାତି ଅଧରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ୧୨ ଜଣଙ୍କର ଜୀବନ ଚାଲିଯାଇଛି । ୮ ଜଣ ଗୁରତର ଆହତ ହୋଇଛନ୍ତି । ବ୍ରହ୍ମପୁରରେ ଏକ ବିବାହ ଉତ୍ସବରେ ଯୋଗଦେଇ କନ୍ୟାଯାତ୍ରୀ ଦଳ ବସ୍ ରେ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଏବଂ ୨ ଜଣ ଶିଶୁ ଅଛନ୍ତି । ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି ।
ବାହାନଗା ରେଳ ଦୁର୍ଘଟଣାର ଭୟାନକ ସ୍ମୃତି ଲୋକଙ୍କ ମନରୁ ନ ଲିଭୁଣୁ ଏହି ମର୍ମନ୍ତୁଦ ଦୁର୍ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଯଥାକ୍ରମେ ୨ ଲକ୍ଷ ଏବଂ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ସ୍ୱର୍ଗତ ଅଶୋକ ପ୍ରଧାନଙ୍କ ମଝିଆ ଝିଅ ସୋନେଲିଙ୍କ ସହ ବ୍ରହ୍ମପୁର ବ୍ରହ୍ମାନଗରର ଉମେଶଙ୍କର ଗତକାଲି ବିବାହ ହୋଇଥିଲା । ଖଣ୍ଡଦେଉଳିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ପରେ ଅପରାହ୍ନ ପ୍ରାୟ ୫ଟାରେ କନ୍ୟା ଶାଶୁଘର ଯାଇଥିଲେ । ବିଦା ଭାର ନେଇ ଝିଅ ଘରର ୩୦ ଜଣ ଏକ ମିନି ବସ୍(ଓଆର୍ ୧୦ଏ ୬୮୭୫) ରେ ବ୍ରହ୍ମପୁର ଯାଇଥିଲେ । ସେଠାରେ ଭୋଜିଭାତ ଖାଇ ଗାଁକୁ ଫେରୁଥିଲେ । ଆଉ ୭ କିଲୋମିଟର ପରେ ଗାଁରେ ପହଞ୍ଚିଥାନ୍ତେ । ମାତ୍ର ବିଧିର ବିଧାନ ଥିଲା ଅଲଗା ।
ରାତି ପ୍ରାୟ ଗୋଟାଏ ବେଳେ ଦୁର୍ଘଟଣା ଚାହିଁ ବସିଥିଲା । କନ୍ୟାଯାତ୍ରୀ ଦଳକୁ ନେଉଥିବା ମିନି ବସ୍ ଟି ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ପାର ହୋଇ ମଳାଭଞ୍ଜା ନିକଟରେ ପହଞ୍ଚିଥିଲା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଗୁଡ଼ାରୀ- ଭୁବନେଶ୍ୱର ଓଏସଆରଟିସି ବସ୍ ( ଓଡି୦୨ବିୱାଇ-୧୯୩୮) ସହ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କ ଥିଲା ଯେ ମିନି ବସ୍ ଟି କୁଚୁକୁଚା ହୋଇଯାଇଥିଲା । ବସ୍ ରେ ଚାପି ହୋଇ କିଛି ଯାତ୍ରୀଙ୍କର ଶରୀର ଖଣ୍ଡ ବିଖଣ୍ଡ ଓ ବିଭତ୍ସ ହୋଇଯାଇଥିଲା । ଆହତମାନଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଅଞ୍ଚଳବାସୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିବା ସହ ପୁଲିସକୁ ଖବର ଦେଇଥିଲେ । ଦୀର୍ଘ ୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଦୁର୍ଘଟଣାସ୍ଥଳରୁ ହିଁ ୧୨ ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା ।
୮ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କୁ ପଠାଯାଇଥିଲା । ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ରେ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୬ ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି ।








