ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଆକ୍ରମଣ ଜାରି ରଖିଥିଲା ବେଳେ ଆଜି ଏଥିରେ ରୋଚକ ମୋଡ଼ ଆସିଛି । ବରଗଡ଼ ଜିଲ୍ଲାଗସ୍ତରେ ଥିବା ପାଣ୍ଡିଆନଙ୍କ ହାତରେ ଖୋଦ୍ ମୁଖ୍ୟମନ୍ତ୍ରୀ ଏକ ଅଡିଓ ଛାଡ଼ି ମୁଁ ୟାଙ୍କୁ ଆପଣମାନଙ୍କ ପାଖକୁ ପଠାଇଛି ବୋଲି ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ନିଜ ସଚିବଙ୍କ ବିରୋଧରେ ଅପପ୍ରଚାର ରୋକିବାକୁ ମୁଖ୍ୟମନ୍ତ୍ରୀ ଏହି ଅଡିଓ ଜରିଆରେ ବସ୍ତୁତଃ ଆଗକୁ ଆସିଛନ୍ତି ।
ବରଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ଶ୍ରୀ ପାଣ୍ଡିଆନ ଆଜି ମିଶନ ଶକ୍ତି ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଅଡିଓ ବାର୍ତ୍ତା ତାଙ୍କ ମୋବାଇଲରୁ ଶୁଣାଇଥିଲେ । ଏହି ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜୁହାର ଜଣାଇ କହିଛନ୍ତି ଯେ ଆପଣମାନେ ଭଲ କାମ କରନ୍ତୁ । ମୁଁ ଆପଣମାନଙ୍କୁ ସାହାଯ୍ୟ କରିବି । ଆପଣମାନଙ୍କ ସୁଖଦୁଃଖ ଓ ସମସ୍ୟା ବୁଝିବା ପାଇଁ ମୁଁ ମୋର ସଚିବ ପାଣ୍ଡିଆନ ବାବୁଙ୍କୁ ପଠାଇଛି । ଆପଣମାନଙ୍କ ସମସ୍ୟାକୁ ମୁଁ ଦୂର କରିବି ।
ପାଣ୍ଡିଆନଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଅଡିଓ ବାର୍ତ୍ତା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ଆରମ୍ଭ କରି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ । ଜିଲ୍ଲାଗସ୍ତ କରି ସଭାସମିତି କରିବା ଏବଂ ପ୍ୟାକେଜ୍ ଘୋଷଣା କରିବାରେ ୫-ଟି ସଚିବଙ୍କ ଅଧିକାରକୁ ନେଇ ପ୍ରଶ୍ନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଦୁଇଧାଡ଼ିଆ ବାର୍ତ୍ତାରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ସାଙ୍ଗକୁ ବରଗଡ଼ରେ ଶ୍ରୀ ପାଣ୍ଡିଆନଙ୍କ ଭାଷଣ ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସେ ତାଙ୍କ ଉଦବୋଧନରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଖକୁ ପଠାଇଛନ୍ତି । ସେ ଆମକୁ ନିର୍ଦ୍ଦେଶ ଦେଇଛନ୍ତି- ଖରା ହେଉ କି ବର୍ଷା ହେଉ, ଲୋକଙ୍କ ପାଖକୁ ଯାଅ । ଲୋକଙ୍କ ସମସ୍ୟା ବୁଝ । କେମିତି ସମାଧାନ ହେବ, ତାହାର ବାଟ ଆମେ ବାହାର କରିବା । ସେଥିପାଇଁ ଏ ବର୍ଷରେ ବି ଆମେ ଏଠାକୁ ଆସିଛୁ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅଭିନବ କାର୍ଯ୍ୟକ୍ରମ ମିଶନ ଶକ୍ତିଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ମା’ ମାନଙ୍କୁ ବିଶଦ ଭାବେ ବୁଝାଇଥିଲେ ।
ଖାଲି ସେତିକି ନୁହେଁ, ପାଣ୍ଡିଆନଙ୍କ ପ୍ରଥମ ଦିନର ବରଗଡ଼ ଜିଲ୍ଲାଗସ୍ତ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଧ୍ୟାରେ ଏହି ଗସ୍ତ ସଂକ୍ରାନ୍ତରେ ଏକ ପ୍ରେସ୍ ରିଲିଜ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ହିଁ ସେ ଜିଲ୍ଲା ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ସେଥିରେ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି । ବରଗଡ଼ରେ ୫-ଟି ସଚିବଙ୍କ କାର୍ଯ୍ୟକ୍ରମର ସେଥିରେ ବିସ୍ତୃତ ସୂଚନା ଦିଆଯାଇଛି । ଡିସେମ୍ବର ସୁଦ୍ଧା ବରଗଡ଼ରେ କ୍ୟାନସର ହସ୍ପିଟାଲ୍ ନିର୍ମାଣ ଶେଷ, ଜିଲ୍ଲାର ୫୬ ଟି କଲେଜ ଏବଂ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ହେବ ବୋଲି କୁହାଯାଇଛି । ପ୍ରବଳ ବର୍ଷା ସତ୍ତ୍ୱେ ୫-ଟି ସଚିବଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଜନସମାଗମ ହୋଇଥିଲା ବୋଲି ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏକ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ । ଏପଟେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ମଧ୍ୟ ୫-ଟି ସଚିବଙ୍କ ଉପରେ ବର୍ଷି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।