ଭୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ରାଜ୍ୟ ସରକାର ଆଜି ଚାକିରିରୁ ବିଦା କରିଛନ୍ତି । ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୩ ଦିନ ତଳେ ଏହି ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ଭିଜିଲାନସ୍ ଚଢ଼ଉ କରି ପେଟି ପେଟି ଟଙ୍କା ଠାବ କରିଥିଲା । ଘରୁ ମିଳିଥିବା ନଗଦ ୩ କୋଟି ୧୬ ଲକ୍ଷ ଟଙ୍କାକୁ ମିଶାଇ ତାଙ୍କର ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଆକଳନ କରାଯାଇଛି । ଯାହା ତାଙ୍କ ଆୟର ୫୦୬ ପ୍ରତିଶତ ଅଧିକ ବୋଲି ଦର୍ଶାଯାଇଛି । ଗତ ୨୪ ତାରିଖରେ ଏହି ବାବୁଙ୍କୁ ଭିଜିଲାନସ୍ ଗିରଫ କରି ଜେଲ୍ ପଠାଇଛି ।
ଗିରଫ ହୋଇ ଜେଲ୍ ଯିବା ଏହି ଲାଞ୍ଚୁଆ ବ୍ୟକ୍ତିଙ୍କ ପାଇଁ ନୂଆ ନୁହେଁ । ଏଥରକୁ ମିଶାଇ ୩ ଥର ସେ ଜେଲ୍ ଯାଇଛନ୍ତି । ୨୦୧୦ ରେ ସେ ଯାଜପୁର ଦାନଗଦିରେ ଚାକିରି କରିଥିଲା ବେଳେ ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିଲେ । ୨୦୧୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ ବିଡିଓ ଥିବା ବେଳେ ଜଣଙ୍କଠାରୁ ୧ ଲକ୍ଷ ଲାଞ୍ଚ ନେଲାବେଳେ ଭିଜିଲାନସ୍ ହାତରେ ଧରାପଡ଼ି ଜେଲ୍ ଯାଇଥିଲେ । ଏହି ମାମଲାରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ମଧ୍ୟ ହୋଇଥିଲେ । ତେବେ ନିଲମ୍ବନ ହଟିବା ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ସେ ଅବସ୍ଥାପିତ ହେବା ସମସ୍ତଙ୍କୁ ଚକିତ କରିଥିଲା ।
ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପୃଷ୍ଠପୋଷକ କିଏ ବୋଲି ବିରୋଧୀ ଦଳ ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ନୀତିଗ୍ରସ୍ତଙ୍କ ଅଧିକାରୀଙ୍କ ଉପରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ବାର୍ତ୍ତା ଦେଇଛନ୍ତି ।