ଭୁବନେଶ୍ୱର: ମଙ୍ଗଳବାର ଦିନ ବାଲେଶ୍ୱର ଓ ତିର୍ତ୍ତୋଲ୍ ଉପନିର୍ବାଚନ ପାଇଁ ଭୋଟ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଏଥର ମହାମାରୀ କୋଭିଡ୍ ପରିସ୍ଥିତିରେ ଭୋଟ ହେଉଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟରମାନଙ୍କ ପାଇଁ ଥର୍ମାଲ୍ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ରଖିବେ, ମୁହଁରେ ମାସ୍କ ପିନ୍ଧିବେ ଏବଂ ଡାହାଣ ହାତରେ ଗ୍ଲୋବସ୍ ପିନ୍ଧି ଭୋଟ ଦେବାକୁ ଯିବେ ।
ସାମାଜିକ ଦୂରତ୍ୱ ରଖି ଭୋଟରମାନେ ଲାଇନ୍ ରେ ସର୍କଲ ଭିତରେ ରହିବେ । ଥର୍ମାଲ୍ ସ୍କ୍ରିନିଂରେ ଯେଉଁ ଭୋଟରଙ୍କଠାରେ କରୋନା ସନେ୍ଦହ ହେବ ସେମାନଙ୍କୁ ଗୋଟେ ଟୋକନ୍ ଦିଆଯିବ । ମତଦାନ ଶେଷ ହେବାର ଘଣ୍ଟାକ ପୂର୍ବରୁ ଅର୍ଥାତ ସଂଧ୍ୟା ୫ରୁ ୬ ଟା ଭିତରେ ସେମାନଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯିବ ।
କୋଭିଡ୍ ପାଇଁ ଏଥର ପ୍ରତି ବୁଥ୍ ରେ ୧ ହଜାର ଭୋଟର ମତଦାନ କରିବେ । ଏଥିପାଇଁ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି । ବାଲେଶ୍ୱରରେ ୩୪୬ ଟି ବୁଥ୍ ଏବଂ ତିର୍ତ୍ତୋଲ୍ ରେ ୩୭୩ ଭୋଟକେନ୍ଦ୍ର ଖୋଲାଯାଇଛି । ବାଲେଶ୍ୱରରେ ୮୬ ଟି ଏବଂ ତିର୍ତ୍ତୋଲରେ ୧୫୫ ଟି ବୁଥ୍ କୁ ସମ୍ବେଦନଶୀଳ ଭୋଟକେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ପ୍ରତି ବୁଥ୍ ରେ ସିସିଟିଭି କ୍ୟାମେରା ଏବଂ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯାଇଛି ।
ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ ୩୫୦୦ ପୁଲିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୮୦୦ ଲେଖାଏଁ ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ବୁଥ୍ ଗୁଡ଼ିକୁ ବାରମ୍ବାର ସାନିଟାଇଜ୍ କରାଯିବା ସହ ପୁଲିଂ କର୍ମଚାରୀମାନଙ୍କୁ ପିପିଇ କିଟ୍ ଯୋଗାଇ ଦିଆଯାଇଛି ।
ବାଲେଶ୍ୱର ସହରର ୩୧ ଟି ମ୍ୟୁନିସିପାଲିଟି ୱାର୍ଡ ଏବଂ ସଦରର ୨୬ ପଞ୍ଚାୟତରେ ୨ ଲକ୍ଷ ୩୦ ହଜାର ୨୯୭ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେହିଭଳି ତିର୍ତ୍ତୋଲରେ ୨ ଲକ୍ଷ ୨୭ ହଜାର ୨୮୨ ମତଦାତା ଭୋଟ ଦେବେ ।
ଉଭୟ ଆସନ ପାଇଁ ୯୦ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ଏଥିସହ ୬ କମ୍ପାନୀ ସିଏପିଏଫ ଏବଂ ୨୫୦ ପୋଲିସ ଅଫିସର ମୁତୟନ ହୋଇଛନ୍ତି ।