ଭୁବନେଶ୍ୱର: ସାରୁଅରେ ଦଳିତ ଜମି ଲୁଟ୍ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଆଜି ଆଉ ଜଣଙ୍କୁ ଗିରଫ କରିଛି । ତାଙ୍କ ନାଁ ଶିବପ୍ରସାଦ ଶ୍ରୀଚନ୍ଦନ । ଓଟିଭିର ଅନ୍ୟତମ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ର ସେ ଜଣେ ଏଜେଣ୍ଟ । ସଂସ୍ଥାର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ଶିବଙ୍କ ବିରୋଧରେ ସମାନ ଦଫା ଆଇପିସି ଧାରା ୪୨୦/୪୨୩/୪୬୭/୪୬୮/୪୭୧/୧୨୦(ବି) ଏବଂ ଏସସି,ଏସଟି ଆକ୍ଟର ଧାରା ୩(୧)(ଜି)(କ୍ୟୁ) ଲଗାଯାଇଛି । କୋର୍ଟରେ ହାଜର ପରେ କ୍ରାଇବ୍ରାଞ୍ଚ ଅଧିକ ପଚରାଉଚୁରା କରିବା ପାଇଁ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ମାତ୍ର ଖୋର୍ଦ୍ଧ ଜିଲ୍ଲା ଓ ଦୌରାଜଜ୍ ଦୁଇଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ।
ସାରୁଅରେ ଦଳିତଙ୍କ ଜମି ହାତେଇବା କାର୍ଯ୍ୟରେ ଶିବ କମ୍ପାନୀର ପ୍ରମୁଖ ଏଜେଣ୍ଟ ଥିଲେ । ତାଙ୍କ ହାତରେ ଥିଲା ଓଡ଼ିଶା ଇନଫ୍ରାଟେକ୍ ର ପାୱାର ଅଫ୍ ଆଟର୍ଣ୍ଣି । ଶିବଙ୍କ ଜରିଆରେ ୧୦୦ରୁ ଅଧିକ ଦଳିତଙ୍କ ପ୍ଲଟ୍ ଓଡ଼ିଶା ଇନଫ୍ରାଟେକ୍ ହାତକୁ ଆସିଥିବା ଜଣାପଡ଼ିଛି । ଖାଲି ରବି ସେଠୀ କି ଶିବ ଶ୍ରୀଚନ୍ଦନ ନୁହଁନ୍ତି ଦଳିତଙ୍କ ଜମି ହାତେଇବା କାର୍ଯ୍ୟରେ ଓଟିଭିର ଏହି ସହଯୋଗୀ ସଂସ୍ଥା ଅନେକ ଏଜେଣ୍ଟକୁ ନିଯୁକ୍ତି ଦେଇଥିଲା । କ୍ରାଇମବ୍ରାଞ୍ଚ ଏସବୁର ଖୋଳତାଡ଼ ଜୋରଦାର କରିଥିବାରୁ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ପାଖରେ ପହଞ୍ଚିବାକୁ ବିଳମ୍ବ ହେବ ନାହିଁ ବୋଲି କୁହାଯାଉଛି ।
ସେପଟେ ତିନି ଦିନିଆ ରିମାଣ୍ଡରେ ଥିବା ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଆଜି ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଧିକାରୀମାନେ ଦିନତମାମ ଜେରା କରିଥିଲେ । ତାଙ୍କଠାରୁ ସାରୁଅ ଜମି ଜାଲିଆତିର ଅନେକ ତଥ୍ୟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ସମ୍ଭବତଃ ଏହି ତଥ୍ୟ ଆଧାରରେ ଆଗକୁ ବଢ଼ି ଆଜି ଶିବଙ୍କୁ ଗିରଫ କରାଯାଇଛି ।
ଅନ୍ୟପକ୍ଷରେ ସାରୁଅରେ ଓଟିଭି ଷ୍ଟୁଡ଼ିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି । ଓଟିଭି କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରାପ୍ୟ ଦରମାରୁ ବଞ୍ଚିତ କରିବା ସହ ସାଦା କାଗଜରେ ଦସ୍ତଖତ କରିବାକୁ ଧମକ ଦେଉଥିବାରୁ ସେମାନେ ପ୍ରତିବାଦ ଧାରଣାରେ ବସିଛନ୍ତି । ଧାରଣାରୁ ଉଠିବା ପାଇଁ ଓଟିଭି ଏମଡି ଜାଗୀ ପଣ୍ଡାଙ୍କ ବାପା ଓ ଭାଇ ସେମାନଙ୍କୁ ଧମକୋଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ସାରୁଅ ଜମି କେଳେଙ୍କାରୀ ଉପରେ କାର୍ଯ୍ୟାନୁଷ୍ଠାନ ହେବା କ୍ଷଣି ପଣ୍ଡା କମ୍ପାନୀ ନିଜର ଓଟିଭିକୁ ଢ଼ାଲ୍ କରି ସମବେଦନା ଗୋଟାଇବାକୁ ଉଦ୍ୟମ କରିବା ବୁଦ୍ଧିଜୀବୀମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ମନୋରଞ୍ଜନ ଷଡ଼ଙ୍ଗୀ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ ଭାବେ ଜମି ଜାଲିଆତିରେ ସଂପୃକ୍ତ ଅଛନ୍ତି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି । ସୁତରାଂ ଓଟିଭି ଚିଫ୍ ଫାଇନାନସିଆଲ୍ ଅଫିସର ଭାବେ ତାଙ୍କୁ ଗିରଫ କରାଯାଇନାହିଁ । ମାତ୍ର ଓଟିଭି ଅତ୍ୟନ୍ତ ଚତୁରତାର ସହ ଏହାକୁ ବିଭ୍ରାନ୍ତ କରି ଗଣମାଧ୍ୟମର କଣ୍ଠରୋଧ ବୋଲି ପ୍ରଚାର କରୁଛି ।
ନିଜର ସୁରକ୍ଷା ଉଦ୍ୟମରେ ଓଟିଭି ବିରୋଧୀ ଦଳର କିଛି ନେତାଙ୍କୁ ସହଜରେ ବୋକା ବନାଇପାରିଥିବା ଚର୍ଚ୍ଚା ହେଉଛି । ସୋସିଆଲ୍ ମିଡ଼ିଆରେ ପଣ୍ଡାଙ୍କ ସପକ୍ଷରେ ଜନମତ ସୃଷ୍ଟି କରି ହୀରୋ ବନେଇବାକୁ ବି ଉଦ୍ୟମ କରାଯାଇଛି । ବିନା ନୋଟିସ୍ ରେ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଘରୁ ଉଠାଇନେବା କୁଆଡ଼େ ବେଆଇନ ବୋଲି ଓଟିଭି ପ୍ରଶ୍ନ ପଚାରୁଛି ।
କିଛି ବୁଦ୍ଧିଜୀବୀ ଓ ବରିଷ୍ଠ ସାମ୍ବାଦିକଙ୍କ ମତରେ, ଏହାକୁ ହିଁ କହନ୍ତି ଚୋର ମୁହଁ ଟାଣ । ସାଧାରଣ ଲୋକଟି ଛୋଟ ଅପରାଧ କଲେ ଦଣ୍ଡ ଭୋଗି ନିଜକୁ ନିଜେ ଲଜ୍ଜାବୋଧ କରୁଛନ୍ତି । ମାତ୍ର ଏମାନେ ପଇସାବାଲା ବଡ଼ଲୋକ ଏବଂ ହାତରେ ଟିଭି ଅଛି ବୋଲି କ’ଣ ସେମାନଙ୍କ ପାଇଁ ସବୁ ମାଫ୍? ଟିଭିକୁ ଢ଼ାଲ୍ କରି ଏମାନଙ୍କର ବ୍ୟବସାୟିକ କାରବାର ସବୁଦିନ ଚାଲିଥିବ? ଅନ୍ୟମାନଙ୍କୁ ନିଜ ସପକ୍ଷରେ କୁହାଉଥିବା ଟୁଇଟ୍ ମାଷ୍ଟର୍ ବୈଜୟନ୍ତ ଓ ଜାଗୀ ପଣ୍ଡା ନିଜେ ସାମନାକୁ କାହିଁକି ଆସୁନାହାନ୍ତି? ସରକାରଙ୍କୁ ବୈଜୟନ୍ତ ନିଜେ ପ୍ରଶ୍ନ କରୁନାହାନ୍ତି କାହିଁକି? ତମେ ବେପାର ପାଇଁ ଯାବତୀୟ ବେଆଇନ କାରବାର କରିବ ଆଉ ଟିଭିକୁ ଢ଼ାଲ୍ କରି ସୁରକ୍ଷା ଖୋଜିବ ଏହାଠାରୁ ଲଜ୍ଜକର ଓ ଗର୍ହିତ କାର୍ଯ୍ୟ କିଛି ନାହିଁ ବୋଲି ସେମାନେ କହିଛନ୍ତି ।
କଂଗ୍ରେସ ବିଧାୟକ ଦଳ ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ ଓଟିଭି ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି । ଧର୍ତ୍ତବ୍ୟମୂଳକ ଅପରାଧ କ୍ଷେତ୍ରରେ ପୁଲିସ ଅଭିଯୁକ୍ତଙ୍କୁ ବିନା ନୋଟିସ୍ ଏବଂ ବିନା ସର୍ଚ୍ଚ ୱାରେଣ୍ଟ୍ ରେ ଗିରଫ କରିପାରିବ । ଆଇନରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ବୋଲି ଶ୍ରୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଦଳିତଙ୍କ ଜମି ହଡ଼ପ ମାମଲାକୁ ସଙ୍ଗୀନ ଅପରାଧ ବୋଲି ସେ ଦର୍ଶାଇବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ରଖିଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମଧ୍ୟ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ସାରୁଅ ଜମି ଦୁର୍ନୀତି ମାମଲାକୁ କଡ଼ା ଭାଷାରେ ନିନ୍ଦା କରି ସିଧାସଳଖ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଓଟିଭିକୁ ଢ଼ାଲ୍ କରି ନିଜର ବ୍ୟବସାୟ ଚଳାଇଥିବା ବୈଜୟନ୍ତଙ୍କ ବେଆଇନ କାର୍ଯ୍ୟକଳାପ ସାରା ରାଜ୍ୟ ଦେଖିଛି । ଦଳିତଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।
ସାରୁଅ ମାମଲାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଜାତୀୟ ଦଳିତ ଆଦିବାସୀ ମହାସଂଘ ସଭାପତି ଲିଟୁ ଦାସ କହିଛନ୍ତି । ଏହି ମାମଲାରେ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ମୁଖ୍ୟ ଖଳନାୟକ ହୋଇଥିବାରୁ ସେମାନଙ୍କୁ ଆଗ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।
ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଆଜି ଟୁଇଟ୍ ଜରିଆରେ ବୈଜୟନ୍ତ ଓ ଓଟିଭି କାରବାରର ଗୁମର ଖୋଲିଛନ୍ତି । ଜୟ ପଣ୍ଡାଙ୍କର ୨୧ ଟି କମ୍ପାନୀରେ ସେୟାରହୋଲଡିଂ ଅଛି । ସେହିସବୁ କମ୍ପାନୀରେ ଯେ କୌଣସି ବେଆଇନ କାର୍ଯ୍ୟର ସୁରକ୍ଷା ପାଇଁ ଓଟିଭିକୁ ଢ଼ାଲ୍ କରାଯାଇଛି । ଜୟ ପଣ୍ଡାଙ୍କ ମାଲିକାନାରେ ଥିବା ଓଡ଼ିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ଗିରଫ ହୋଇଥିଲା ବେଳେ ଓଟିଭି ତାଙ୍କର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବା ତାହାର ଜ୍ୱଳନ୍ତ ଉଦାହରଣ । ଖଣି ମାଲିକ ଏବଂ ବ୍ୟବସାୟୀମାନେ ନିଜର ସୁରକ୍ଷା ପାଇଁ ମିଡ଼ିଆକୁ ଅସ୍ତ୍ର କରିବାର କୌଶଳ ଜୟ ପଣ୍ଡାଙ୍କଠାରୁ ଶିଖିବା ଉଚିତ୍ ବୋଲି ସସ୍ମିତ୍ କଟାକ୍ଷ କରିଛନ୍ତି ।
ତେବେ ସାରୁଅ ମାମଲାରେ ବୈଜୟନ୍ତଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଟୁଇଟ୍ ଟେ ମଧ୍ୟ ଆସିନାହିଁ । ଓଟିଭି ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କ ପାଇଁ ତାଙ୍କର ଓ ତତ୍ପରତା କୁମ୍ଭୀର କାନ୍ଦଣା ନିଜ ସହଯୋଗୀ ସଂସ୍ଥାର ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ ।