ପୁରୀ: ବିଳମ୍ବରେ ପୁଲିସ ଆକ୍ସନ୍ ମୁଡ୍ କୁ ଆସିଲା । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ପୁରୀ ପୁଲିସ ଶୁକ୍ରବାର ରାତିରେ ଏପିଡେମିକ୍ ଆକ୍ଟରେ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୨୬୯ ଏବଂ ୨୭୦ ଦଫା ଲଗାଯାଇଛି । ଗତ ୨୭ ତାରିଖରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ୪ ତାରିଖରେ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିକ୍ରିୟାରେ ଉମା ଯୋଗଦେଇଥିଲେ ।
ସେହି ୨୭ ତାରିଖରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବି ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇଥିଲେ । ମାତ୍ର ମନ୍ତ୍ରୀଙ୍କ କୋଭିଡ ଥିଓରୀକୁ ପୁଲିସ ଗ୍ରହଣ କରି ତାଙ୍କୁ ଛାଡ଼ିଦେଇଛି । ମନ୍ତ୍ରୀ କହିଥିଲେ ଯେ ସେ ବହୁ ପୂର୍ବରୁ କୋଭିଡ ପଜିଟିଭ ଚିହ୍ନଟ ହୋଇ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଥିଲେ । ସେଠୁ ସୁସ୍ଥ ହୋଇ ଫେରିଲା ପରେ ଘରେ ରହିଥିଲେ । କୋଭିଡ୍ ଆକ୍ରାନ୍ତ ହେବାର ୨୨ ଦିନ ପରେ ଯାଇ ଘରୁ ବାହାରିଥିଲେ । ବିଧାନସଭା ପୂର୍ବରୁ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲେ ମଧ୍ୟ ତାହା ମାଇଲଡ୍ ବୋଲି ମନ୍ତ୍ରୀ ସଫେଇ ଦେଇଥିଲେ । ତଦନ୍ତ ବେଳେ ଏହା ସତ୍ୟ ବୋଲି କୁଆଡ଼େ ପୁଲିସର ହୃଦୟଙ୍ଗମ ହୋଇଛି ।
ପଜିଟିଭ୍ ଥିବା ସତ୍ତ୍ୱେ ସମୀର ଦାଶ ଓ ଉମା ସାମନ୍ତରାୟ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇ କରୋନା ରୋଗ ବାଣ୍ଟିଥିବାରୁ ଦୁହିଁଙ୍କ ବିରୋଧରେ ଜଗନ୍ନାଥ ସେନା ଓ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଗତ ୫ ତାରିଖରେ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଥିଲା । ଉଭୟ ନେତାଙ୍କର ଏତାଦୃଶ ଆଚରଣକୁ ସବୁ ମହଲରୁ ନିନ୍ଦା କରାଯାଇଥିଲା ।
ସୂଚନାଥାଉକି, କୋଭିଡ ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନରେ ସମର୍ଥକଙ୍କ ଗହଣରେ ନାଚ କରି ଫସିବା ପରେ ସମୀର ଦାଶ ଓ ଉମା ସାମନ୍ତରାୟଙ୍କ ନାଁ ଉଠାଇ ନିଜେ ଖସିଯିବାକୁ ଚାହିଁଥିଲେ । ସାଂସଦଙ୍କ ଆଚରଣ ଉପରେ ଆପତ୍ତି ଉଠାଇ କେନ୍ଦ୍ରକୁ ଚିଠି ଲେଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସେ ଡବଲ୍ ଷ୍ଟାଣ୍ଡାର୍ଡ କହି ପ୍ରଶ୍ନ କରିଥିଲେ ।