ଭୁବନେଶ୍ୱର: କୋଭିଡ୍ ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳର ଜାତୀୟ ମୁଖପାତ୍ର ପଦବୀ ଅଳଙ୍କୃତ କଲା ପରେ ବି ଅଭ୍ୟାସ ବଦଳାଇ ପାରିନାହାନ୍ତି । କୋଭିଡ କଟକଣା ନ ମାନି ସମର୍ଥକଙ୍କ ମେଳିରେ ନିଜ ଜନ୍ମଦିନକୁ ଗତକାଲି ଧୂମଧାମରେ ପାଳିଥିଲେ । ଆୟୋଜିତ ଆସରରେ କେକ୍ କାଟି ସମସ୍ତଙ୍କୁ ଖୁଆଇ ଦେବା ପରେ ସେମାନଙ୍କ ସହ ମନଖୋଲା ନାଚିଥିଲେ । ସାମାଜିକ ଦୂରତା ଛାଡ଼ନ୍ତୁ, ମୁହଁରେ ମାସ୍କ ଭିଡ଼ିବାକୁ ବି ସାଂସଦ ଓ ସମର୍ଥକମାନେ ଉଚିତ୍ ମନେ କରି ନଥିଲେ ।
ଜନ୍ମଦିନ ପାର୍ଟିରେ ସାଂସଦ ନାଚୁଥିବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଏବେ ଭାଇରାଲ୍ ହୋଇଛି । ଆହୁରି ସାଂଘାତିକ କଥା, ସାଂସଦ ମ୍ୟାଡାମ୍ ନିଜ ଭୁଲ୍ ବୁଝି ଲଜ୍ଜିତ ହେବା ପରିବର୍ତ୍ତେ ସତେ ଯେମିତି ପ୍ରତିହିଂସାପରାୟଣ ହୋଇପଡ଼ିଛନ୍ତି । ଅନୁଗତଙ୍କ ସୋସିଆଲ୍ ମିଡ଼ିଆ ଆକାଣ୍ଟ୍ ରେ ସାଂସଦଙ୍କ ଲୋକପ୍ରିୟତାର କିଛି ଫଟୋ ଛଡ଼ାଯାଇଛି । ଯେଉଁଥିରେ କୋଭିଡ କଟକଣାକୁ ଉପହାସ କରାଯାଇଛି । ଜାତୀୟ ମୁଖପାତ୍ର ନିଯୁକ୍ତି ହୋଇ ଦିଲ୍ଲୀରୁ ପ୍ରଥମଥର ଓଡ଼ିଶା ଫେରିଲା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ କିଭଳି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଉଛି ତାହାର ଝଲକ ଦେଖାଇବାକୁ ଚାହିଁଛନ୍ତି ।
ବିମାନବନ୍ଦରରେ ମ୍ୟାଡାମ୍ ଙ୍କ ଶତାଧିକ ସମର୍ଥକ କୋଭିଡ ନିୟମର କିଭଳି ଧଜିଆ ଉଡାଉଛନ୍ତି ତାହା ସେହି ଫଟୋରୁ ଆହୁରି ସ୍ପଷ୍ଟ ହେଉଛି । କରୋନା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟଣାକ୍ରମ ଦେଖିଲେ ମ୍ୟାଡାମ୍ ବୋଧହୁଏ ଏୟା ସଙ୍କେତ ଦେବାକୁ ଚାହୁଁଛନ୍ତି ଯେ ଆମେ କୋଭିଡ ନିୟମ ପାଳିବୁ ନାହିଁ । ଆମର ଯିଏ ଯାହା କରିବା କଥା କର ।
୨୫ ବର୍ଷର ଆଇଏଏସ୍ ଚାକିରି ଛାଡ଼ି ସାଂସଦ ଏବଂ ଏବେ ବିଜେପିର ତୁଣ୍ଡ ହୋଇଥିବା ମ୍ୟାଡାମ୍ ଅଭ୍ୟାସଗତ ଭାବେ କୋଭିଡ ନିୟମ ଭାଙ୍ଗୁଥିଲେ ମଧ୍ୟ ତାଙ୍କର ଅନୁଶୋଚନା ନାହିଁ । ତେବେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି । ସାଂସଦ ତାଙ୍କ ଜନ୍ମଦିନ ପାର୍ଟିରେ କୋଭିଡ ନିୟମ ଭଙ୍ଗ କରି ନାଚୁଥିବାର ଭିଡ଼ିଓକୁ ମଧ୍ୟ ପଠାଇଛନ୍ତି ।
କରୋନା ମହାମାରୀ ଏବେ ଜନଜୀବନକୁ ଗ୍ରାସ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ କରୋନା କଟକଣା ପାଳିବାକୁ ନିବେଦନ କରୁଛନ୍ତି । ଗାଁଗହଳିଠାରୁ ସହର ପର୍ଯ୍ୟନ୍ତ ସାଧାରଣ ଲୋକ ଏହି ନିୟମକୁ ପାଳୁଛନ୍ତି । ସାମାଜିକ ଦୂରତା ରଖିବା ଏବଂ ମୁହଁରେ ମାସ୍କ ଭିଡ଼ିବା ଏବେ ଲୋକଙ୍କ ଜୀବନର ଅଙ୍ଗ ପାଲଟିଯାଇଛି ।
ସାଧାରଣ ଲୋକ ସଚେତନ ହୋଇଛନ୍ତି, ମାତ୍ର ଦୁର୍ଭାଗ୍ୟ ଯେ ଯିଏ ସେମାନଙ୍କୁ ସଚେତନ କରାଇବା କଥା ସିଏ ନିଜେ ସଚେତନ ହେଉନାହାନ୍ତି । ନିଜେ ନିୟମ ଭାଙ୍ଗିବା ସହ ଅନ୍ୟମାନଙ୍କୁ ନିୟମ ଭାଙ୍ଗିବାକୁ ପ୍ରୋତ୍ସାହିତ କରୁଥିବା ସାଂସଦଙ୍କ ଆଚରଣ କହୁଛି । ନିଜର ଅହମିକା ପାଇଁ ହଜାର ହଜାର ଲୋକଙ୍କ ଜୀବନକୁ ବାଜି ଲଗାଉଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଶେଷରେ ଏତିକି କୁହାଯିବ.. ନେତାମାନଙ୍କର କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗ ନୂଆ ନୁହେଁ । ବିଜେପି, ବିଜେଡ଼ି ଓ କଂଗ୍ରେସ କ୍ଷେତ୍ରରେ ଏଭଳି ନିୟମ ଉଲ୍ଲଂଘନର ଅନେକ ଉଦାହରଣ ଅଛି । ନିକଟରେ ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଶବ ଶୋଭାଯାତ୍ରା ଓ ଅନ୍ତେଷ୍ଟିକ୍ରିୟାରେ କୋଭିଡ ନିୟମର ଉଲ୍ଲଂଘନ ଅଭିଯୋଗ ଆସିଥିଲା । ତେବେ ଅପରାଜିତାଙ୍କ କ୍ଷେତ୍ରରେ ଏହା କିନ୍ତୁ ଭିନ୍ନ । ଥରେ କି ଦୁଇଥର ନୁହେଁ, କୋଭିଡ କଟକଣାକୁ ମୂଳରୁ ଖାତିର କରୁନାହାନ୍ତି ସେ । ଏଥିନେଇ ତାଙ୍କ ବିରୋଧରେ ଗଦା ଗଦା ଅଭିଯୋଗ ଆସିଲାଣି ।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦିବ୍ୟଶଙ୍କରଙ୍କ ଚିଠି
ଶତାଧିକ ମହିଳାଙ୍କ ଗହଣରେ ଭୁବନେଶ୍ୱର ସାଂସଦ ତାଙ୍କ ଜନ୍ମଦିନ ପାଳିଥିଲେ । ଜଣଙ୍କ ଛଡ଼ା ଅନ୍ୟ କାହାରି ମୁହଁରେ ମାସ୍କ ନ ଥିଲା । ସାମାଜିକ ଦୂରତା ପାଳନ ହୋଇ ନ ଥିଲା । କୋଭିଡ କଟକଣା ଭାଙ୍ଗି ସମସ୍ତେ ନାଚଗୀତରେ ମଜ୍ଜି ଯାଇଥିଲେ । ଜାତୀୟ ଦୁର୍ବିପାକ ପରିଚାଳନା ଆଇନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର ଅପିଲ୍ ର ଅବମାନନା କରାଯାଇଥିବା ଭିଡ଼ିଓରୁ ସ୍ପଷ୍ଟ ହେଉଛି ।
ଏଭଳି ଘଟଣା ପ୍ରଥମ ହୋଇଥିଲେ ଆପଣଙ୍କ ଦୃଷ୍ଟିକୁ ଆଣି ନ ଥାନ୍ତି । ମାତ୍ର ସାଂସଦ ବାରମ୍ବାର କୋଭିଡ୍ ନିୟମ ଭଙ୍ଗ କରୁଛନ୍ତି । ତାଙ୍କ ବିରୋଧରେ ତିନୋଟି ମାମଲା ହୋଇସାରିଥିବା ସତ୍ତ୍ୱେ ଆଚରଣ ବଦଳିନି । ଏହାଦ୍ୱାରା ସାଧାରଣ ଜନତାଙ୍କ ଜୀବନ ବିପଦ ମୁହଁରେ ପଡ଼ିଛି ।
ଆପଣ ଜାଣନ୍ତି, ଭୁବନେଶ୍ୱର ସହର ଏବେ କୋଭିଡ ସହ ସଂଗ୍ରାମ କରୁଛି । କୋଭିଡ ଯୋଦ୍ଧାମାନେ ଦିନରାତି ଏକକାର କରି ନିଜ ଜୀବନକୁ ପାଣି ଛଡ଼େଇ ଲଢ଼େଇ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଜଣେ ଲୋକ ପ୍ରତିନିଧିଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ କୋଭିଡ ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବା ସହ ସେମାନଙ୍କ ପ୍ରତି ଅପମାନ ।
ଅପରାଜିତା ଷଡ଼ଙ୍ଗୀ ଖାଲି ଜଣେ ସାଂସଦ ନୁହଁନ୍ତି । ବିଜେପିର ଜାତୀୟ ମୁଖପାତ୍ର । ତେଣୁ ତାଙ୍କ ଆଚରଣ ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ୱ ରଖେ । ମାତ୍ର କୋଭିଡ ନିୟମ ଭାଙ୍ଗି ଜନ୍ମଦିନରେ ନାଚଗୀତ କରିବା ଦ୍ୱାରା କୋଭିଡ ଯୋଦ୍ଧାଙ୍କ ପ୍ରତି ଉପହାସ କରିଛନ୍ତି । ଆପଣ ଏହା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣି ସାଂସଦ ସାଧାରଣ ଲୋକଙ୍କ ଜୀବନ ସହ ନ ଖେଳିବାକୁ ପରାମର୍ଶ ଦିଅନ୍ତୁ ।