ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରର ମେ’ ଫେୟାର ହୋଟେଲ ସାମନାରୁ ସିବିଆଇ ଉଠାଇ ନେଇଥିବା ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସୁପର୍ କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫ ହୋଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କୋ(ଇଣ୍ଡିଆ)ର ଓଡ଼ିଶା ମୁଖ୍ୟ ତଥା ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଏବଂ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ତଥା ଠିକାଦାର ସନ୍ତୋଷ ମହାରଣାଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ । ଗିରଫ ପରେ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଅନ୍ୟଜଣେ ସରକାରୀ ଅଧିକାରୀ ପ୍ରଦୀପ ମହନ୍ତ ସିବିଆଇ ହେପାଜତରେ ଥିବା କୁହାଯାଉଛି ।
କେନ୍ଦ୍ର ସରକାରଙ୍କ ଭାରିଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କୋ ଏବଂ ଏହାର ଲିଙ୍କ୍ ରେ ଥିବା ଏହି ବ୍ୟକ୍ତିମାନଙ୍କ ଉପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଉକ୍ତ ସଂସ୍ଥାରେ ବ୍ୟାପକ ଟେଣ୍ଡର ଫିକ୍ସିଂ ଏବଂ ଆର୍ଥିକ ହେରଫେର ନେଇ ଦିଲ୍ଲୀ ସିବିଆଇରେ ପୂର୍ବରୁ ଅଭିଯୋଗ ଥିଲା । ନଗଦରେ ଏକ ବଡ଼ କାମ ପାଇଁ ସଂସ୍ଥାର ଓଡ଼ିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଭୁବନେଶ୍ୱରର ହୋଟେଲ ମେ ଫେୟାରରେ ମଧ୍ୟସ୍ଥିଙ୍କ ସହ ମିଟିଂ ଯୋଜନା ସମ୍ପର୍କରେ ଗତକାଲି ସିବିଆଇକୁ ଆଗୁଆ ଖବର ମିଳିଥିଲା ।
ସେହି ଅନୁଯାୟୀ, ସିବିଆଇର ଏକ ୬ ଜଣିଆ ଟିମ୍ ସେଠାରେ ଛକି ବସିଥିଲେ । ଠିକ୍ ସମୟରେ ହୋଟେଲ ସାମନାରୁ ଏକ ମର୍ସିଡିଜ୍ କାରରେ ଥିବା ଦେବଦତ୍ତ ମହାପାତ୍ର ଏବଂ ସନ୍ତୋଷ ମହାରଣାଙ୍କୁ ସିବିଆଇ ଅଧିକାରୀମାନେ କାବୁ କରିନେଇଥିଲେ । ସେମାନଙ୍କ ଅପେକ୍ଷାରେ ହୋଟେଲରେ ବସିଥିବା ଚଞ୍ଚଲ ମୁଖାର୍ଜୀ ଏବଂ ସରକାରୀ ଅଧିକାରୀଙ୍କୁ ମଧ୍ୟ ଉଠାଇ ଆଣିଥିଲେ ।
ରେଡ୍ ବେଳେ ମର୍ସିଡିଜ୍ କାର ଭିତରୁ ନଗଦ ୧୦ ଲକ୍ଷ ଟଙ୍କା ଏବଂ କିଛି ସୁନା ମିଳିଥିଲା । ଏହି ଟଙ୍କା ଅଗ୍ରୀମ ଆକାରରେ ଲାଞ୍ଚ ଦେବା ପାଇଁ ରଖାଯାଇଥିଲା ବୋଲି ଜଣାପଡ଼ିଛି ।
୪ ଜଣଙ୍କୁ ହେପାଜତରେ ନେଇଯିବା ପରେ ସିବିଆଇ ଟିମ୍ ଭୁବନେଶ୍ୱରର ଦୁଇଟି ଜାଗା ସମେତ ଭଦ୍ରକ, କଟକ ଏବଂ ଛତ୍ରପୁରରେ ଥିବା ଗୋଟିଏ ଲେଖାଏଁ ଜାଗାରେ ୧୨ ଘଣ୍ଟା ଧରି ଛାନଭିନ୍ କରିଥିଲା । ଏହି ଲିଙ୍କ୍ ରେ ଦିଲ୍ଲୀ ଏବଂ କୋଲକତାର କିଛି ଜାଗାରେ ମଧ୍ୟ ରେଡ୍ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱରରୁ ଆଉ ଏକ ଦାମୀକାର୍(କ୍ରେଟା) ଓଡି୦୫ଜେଡ ୬୦୦୩କୁ ମଧ୍ୟ ସିବିଆଇ ଜବତ କରିଛି ।