ଭୁବନେଶ୍ୱର: ସମସ୍ତେ କୋଭିଡ୍ ନିୟମ ମାନିବାକୁ ପଡ଼ିବ । ବାହାରକୁ ଗହଳି ଜାଗାକୁ ଗଲେ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ ଲକ୍ଷଣ ଥିଲେ ନିଜକୁ ଆଇସୋଲେସନ୍ ରେ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଟେଷ୍ଟିଂ ଜାରି ରଖିବା, ସବୁ ପଜିଟିଭ୍ କେସ୍ ର ଜିନମ୍ ସିକ୍ୟୁଏନସିଂ କରିବା ଏବଂ ହସ୍ପିଟାଲ୍ ଗୁଡ଼ିକ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ପ୍ରିକସନ୍ ଡୋଜ୍ ଟିକାଦାନ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ମିଟିଂ ପରେ ଏହି ଆଡଭାଇଜାରି ଜାରି ହୋଇଛି । ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି । ଆଗକୁ ଉତ୍ସବ ସମୟ ଥିବାରୁ ଆବଶ୍ୟକ ପ୍ରସ୍ତୁତି ପାଇଁ କୁହାଯାଇଛି । କୋଭିଡ୍ ନିୟମ ପାଳନ ସହ ଆବଶ୍ୟକୀୟ ଟେଷ୍ଟିଂ ବ୍ୟବସ୍ଥା, ହସ୍ପିଟାଲ୍ ବେଡ୍ ପ୍ରସ୍ତୁତି ଏବଂ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିଶେଷଜ୍ଞମାନେ ଯୋଗଦେଇଥିଲେ । କୋଭିଡ୍ ର ସ୍ଥିତି ଏବଂ ସତର୍କତାମୂଳକ ପଦକ୍ଷେପ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ- ଜାପାନ, କୋରିଆ, ଆମେରିକା, ଫ୍ରାନସ୍, ବ୍ରାଜିଲ୍, ଜର୍ମାନୀ ଏବଂ ଚୀନ୍ ରେ ଗତ ଦୁଇ ସପ୍ତାହ ହେଲା କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିଲେ ମଧ୍ୟ ମାତ୍ର ଆମ ଦେଶ କିମ୍ବା ରାଜ୍ୟରେ ସେଭଳି ସ୍ଥିତି ନାହିଁ । ଓଡ଼ିଶାରେ ନଭେମ୍ବର ମାସରୁ ଦୈନିକ ସଂକ୍ରମଣ ୧୫ ରୁ କମ୍ ଅଛନ୍ତି । ପ୍ରାୟତଃ ଏହି ସଂଖ୍ୟା ୧୦ ରୁ କମ୍ ରହୁଛନ୍ତି । ବର୍ତ୍ତମାନ ୫୪ ଆକ୍ଟିଭ୍ କେସ୍ ଥିଲେ ମଧ୍ୟ କାହାରିକୁ ହସ୍ପିଟାଲ୍ ଦରକାର ପଡ଼ିନି ।
ଟେଷ୍ଟିଂ ହାରକୁ ଦେଖିଲେ, ଭାରତରେ ପ୍ରତି ୧୦ ଲକ୍ଷରେ ଏହା ୧୦୯ ଥିଲା ବେଳେ ଓଡ଼ିଶାରେ ଏହା ୧୩୪ ରହିଛି । ଓଡ଼ିଶାରେ ସଂକ୍ରମଣ ହାର ବି ଅତି ନଗନ୍ୟ, ମାତ୍ର ୦.୦୫% । ଗତ ୩ ମାସରେ କୌଣସି କୋଭିଡ୍ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇନାହାନ୍ତି ।
ଭାରତରେ ଗତ କିଛି ମାସ ହେଲା ଦେଖାଦେଇଥିବା ଭୂତାଣୁ ହେଉଛନ୍ତି ଓମିକ୍ରନ୍ ର ସବ୍ ଭାରିଏଣ୍ଟ । ଏହା ଆଦୌ ଘାତକ ହୋଇନାହିଁ । ଆକ୍ରାନ୍ତଙ୍କୁ ହସ୍ପିଟାଲ୍ ଆବାଶ୍ୟକତା ପଡୁନାହିଁ । ବିଶେଷଜ୍ଞଙ୍କ ମତରେ ଓମିକ୍ରନ୍ ନୂଆ ଭୂତାଣୁର ଟ୍ରାନସମିସିବିଲିଟି ଅଧିକ ରହୁଥିଲେ ମଧ୍ୟ ଆମ ଭାରତରେ ଏହାର ସିଭିୟରିଟି ନାହିଁ ।
ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଟେଷ୍ଟିଂ ଜାରି ରହିବ ଏବଂ ସବୁ ପଜିଟିଭ୍ କେସ୍ ର ଜିନମ୍ ସିକ୍ୟୁଏନ୍ସିଂ କରାଯିବ । ହସ୍ପିଟାଲ୍ ଗୁଡ଼ିକୁ ପ୍ରସ୍ତୁତ ରଖାଯିବ । ଏଥିପାଇଁ ଆସନ୍ତା ୨୭ ତାରିଖରେ ମକ ଡି୍ରିଲ୍ କରାଯିବ । ବର୍ତ୍ତମାନ ୩ ପ୍ରମୁଖ ମେଡିକାଲ୍ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ଅଛି । ପରିସ୍ଥିତିକୁ ଦେଖି ଏହା ଆଉ ୨୦ କୁ ବୃଦ୍ଧି କରାଯିବ । ପ୍ରମୁଖ ହସ୍ପିଟାଲ୍ ରେ ନିଯୁକ୍ତ ଅତିରିକ୍ତ ଷ୍ଟାଫ୍ ମାର୍ଚ୍ଚ ୩୧ ଯାଏଁ କାର୍ଯ୍ୟ କରିବେ । ଏୟାରପୋର୍ଟ ଓ ବନ୍ଦରମାନଙ୍କରେ ସର୍ଭେଲାନ୍ସକୁ କଡ଼ାକଡ଼ି କରାଯିବ ।