ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ୩୫ ହଜାର ଏକର ଜମି ବିକ୍ରୀ କରାଯାଉଥିବା ଖବର ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର । ଏହା ସମ୍ପୂର୍ଣ୍ଣ ମିଥ୍ୟା, ମନଗଢ଼ା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏକ ସ୍ପଷ୍ଟୀକରଣରେ କହିଛନ୍ତି ।
ଦୀର୍ଘ ବର୍ଷ ଧରି ଘରୋଇ ଦଖଲରେ ଥିବା ଶ୍ରୀ ଜଗନ୍ନାଥଙ୍କ ଜମିକୁ ୨୦୦୩ ନୀତି( ୟୁନିଫାଇଡ୍ ପଲିସି) ଅନୁଯାୟୀ ମନ୍ଦିର କମିଟି ଦ୍ୱାରା ସମାଧାନ କରାଯାଉଛି । ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଏହି ନୀତି ଉଦ୍ଦିଷ୍ଟ । ଏଥିରେ କାହାପ୍ରତି ଅନୁକମ୍ପା କିମ୍ବା ଭେଦଭାବର ପ୍ରଶ୍ନ ନାହିଁ । ଏହି ନ୍ୟାୟରେ ୨୦୦୧ ରୁ ୨୦୧୦ ମସିହା ମଧ୍ୟରେ ୨୯୧ ଏକର ଜମିର ଫଇସଲା ହୋଇଥିଲା ବେଳେ ୨୦୧୧ ରୁ ୨୦୨୧ ମଧ୍ୟରେ ୯୬ ଏକର ଜମିର ଫଇସଲା ହୋଇଛି ।
ମୋଟାମୋଟି ଭାବେ ଘରୋଇ ମାଲିକାନାରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କର ଜମିଗୁଡ଼ିକୁ ସ୍କୁଲ, କଲେଜ, ଡାକ୍ତରଖାନା, ରାସ୍ତା ଭଳି ବିଭିନ୍ନ ସାଧାରଣ ଉପଯୋଗୀ ଓ ଜନ ହିତକର କାର୍ଯ୍ୟରେ ବ୍ୟବହାର କରାଯାଇଛି । ଯାହା ଜଗନ୍ନାଥ ମନ୍ଦିର କମିଟି ଅନୁମୋଦିତ । ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରୀ ଯୋଜନା ଡାହା ମିଛ ଏବଂ ମନଗଢ଼ା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏଭଳି ମିଥ୍ୟା ଓ ଅବାଂଛିତ ଖବର ଉପରେ ଓଡ଼ିଶାବାସୀ ତଥା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଭଳି ନ ଯିବାକୁ ଡ. କ୍ରିଷନ୍ କୁମାର ଅନୁରୋଧ କରିଛନ୍ତି ।
ସେପଟେ ବିଜେପି ନେତ୍ରୀଙ୍କ ଦ୍ୱାରା ଏହି ମିଛ ପ୍ରଚାରର କଡ଼ା ଜବାବ ଦେଇଛି ବିଜେଡ଼ି । ମହାପ୍ରଭୁଙ୍କ କ୍ଷେତ୍ରରେ ଏଭଳି ମିଛ ଓ ରାଜନୈତିକ ଅଭିସନ୍ଧି ମୂଳକ ଖବରକୁ ଦଳର ମୁଖପାତ୍ର ନିନ୍ଦା କରିବା ସହ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ।
ବିଜେଡ଼ି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏହି ମିଛ ପ୍ରଚାର ବିରୋଧରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।