ଭୁବନେଶ୍ୱର: କୋଭିଡ୍ ର ‘ଓମିକ୍ରନ୍’ ଭାରିଏଣ୍ଟ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଛି । ଭାରତକୁ ଏହି ସଂକ୍ରମଣ ଛୁଇଁ ନ ଥିଲେ ମଧ୍ୟ ବ୍ୟାପକ ଭାବେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଖୁବ୍ ସଜାଗ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ କରାଇବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୋଟାମୋଟି କହିବାକୁ ଗଲେ, କୋଭିଡ୍ ମୁକାବିଲାର ସମସ୍ତ ପ୍ରସ୍ତୁତିକୁ ପୁନର୍ବାର ସକ୍ରିୟ କରାଯାଇଛି । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀମାନଙ୍କୁ ଜାଗତିଆର ରଖାଯାଇଛି ।
ଆଜିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ୍ ନିୟମ ପାଳନକୁ ସୁନିଶ୍ଚିତ କରାଇବା ପାଇଁ ପୁଲିସ, ସରକାରୀ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସତର୍କ କରାଇଥିଲେ ।
୧-କୋଭିଡ୍ ନିୟମର ଯେପରି କଡ଼ାକଡ଼ି ପାଳନ କରାଯିବ ସେଥିପ୍ରତି ସତର୍କ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୨- ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ୍ ନିୟମ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
୩- ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ୍ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ୍ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ୍ ର ନୂଆ ଭାରିଏଣ୍ଟର ଭୟାବହତା ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇଛନ୍ତି । ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଆଶଙ୍କା କରିଛନ୍ତି । ଗତ କିଛି ସପ୍ତାହ ହେଲା ୟୁରୋପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ସମସ୍ତେ ଏହାକୁ ଗୁରୁତର ସହ ନେବା ଦରକାର । ଜନସାଧାରଣଙ୍କ ସହଯୋଗକ୍ରମେ ଆମେ ପ୍ରଥମ ଓ ଦ୍ୱିତୀୟ ଲହରର ମୁକାବିଲା କରିବାରେ ସଫଳ ହୋଇଛୁ । ବର୍ତ୍ତମାନ ପରିସ୍ଥିତିରେ ସମ୍ଭାବ୍ୟ ପରିସ୍ଥିତିର ସଫଳ ମୁକାବିଲା କରିପାରିବା ବୋଲି ଆଶା କରୁଛୁ ।
ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଲେ ଯେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୁରାପୁରି ସତର୍କ ଅଛନ୍ତି । କୋଭିଡ ଭିତ୍ତିଭୂମିକୁ ସୁଦୃଢ ରହିଛି ଏବଂ ତାକୁ ଆହୁରି ଅଧିକ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୋଭିଡ ମୁକାବିଲା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି । ଚାରୋଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଂଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନୂଆ ରୋଗୀ ମାନଙ୍କର Genome Sequencing ପାଇଁ ମଧ୍ୟ ନମୁନା ପଠାଯାଉଛି । ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ୮୫.୬ ପ୍ରତିଶତ ଥିବାବେଳେ ଦ୍ୱିତୀୟ ଡୋଜ ଟୀକାକରଣ ୪୮.୪ ପ୍ରତିଶତ ରହିଛି, ଯାହା କି ଜାତୀୟ ହାର ଠାରୁ ଉନ୍ନତ ରହିଛି । ଘରକୁ ଘର ବୁଲି ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।
ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କୋଭିଡରୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, ଅକ୍ସିଜେନ୍ ସପ୍ଲାଇ ଚେନ୍ କୁ ଆହୁରି ମଜବୁତ କରିବା ଏବଂ ଘରୋଇ ହସ୍ପିଟଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତି ରଖିବା ଉପରେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ପୋଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ ଗୁଡିକର କମିଶନର ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।