ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ଯୋଡି ହୋଇଛି । ପୁଲିସ ତଦନ୍ତକୁ ମନିଟର୍ କରିବା ପାଇଁ ପୂର୍ବତନ ଜିଲ୍ଲା ଜଜ୍ ଏ.ବି.ଏସ୍ ନାଇଡୁଙ୍କୁ ହାଇକୋର୍ଟ ମନୋନୀତ କରିଛନ୍ତି । ଏହି ସମ୍ବେଦନଶୀଳ ହତ୍ୟା ମାମଲାର ତଦାରଖ ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟ କିମ୍ବା ଜିଲ୍ଲା ଏବଂ ଦୌରାଜଜ୍ ର ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କୁ ମନୋନୀତ କରିବାକୁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ।
ସୂଚନାଥାଉକି, ମମିତା ହତ୍ୟା ମାମଲାରେ ପୁଲିସ ତଦନ୍ତର ନିରପେକ୍ଷତାକୁ ପ୍ରଶ୍ନ କରି ବିରୋଧୀ ଦଳ ହୋ ହଲ୍ଲା ଜାରି ରଖିଛନ୍ତି । ବିରୋଧୀ ଦଳର ଗୋଟିଏ ଗୋଷ୍ଠୀ ମାମଲାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ସିବିଆଇ କିମ୍ବା କୋର୍ଟ ମନିଟର ତଦନ୍ତ ପାଇଁ ଦାବି କରି ଆସୁଥିଲେ । ତେବେ ପୁଲିସ ତଦନ୍ତ ଉପରୁ ରାଜ୍ୟ ସରକାରଙ୍କର ଏ ପର୍ଯ୍ୟନ୍ତ ଭରସା ତୁଟିନାହିଁ । ଓଡ଼ିଶା ହାଇକୋର୍ଟ ମଧ୍ୟ ତଦନ୍ତ ପ୍ରକ୍ରିୟା ଉପରେ ଆପତ୍ତି ଉଠାଇନାହାନ୍ତି ।
ତେବେ ତଦନ୍ତର ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗକୁ ବଢ଼ି ଜଣେ କାର୍ଯ୍ୟରତ ଅଥବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ମାମଲାର ତଦାରଖ ପାଇଁ ଆଗ୍ରହ ପ୍ରକାଶ କରି ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଓଡ଼ିଶା ହାଇକୋର୍ଟ ଏଥିରେ ସମ୍ମତି ପ୍ରକାଶ କରି ଶ୍ରୀଯୁକ୍ତ ନାଇଡୁଙ୍କୁ ମନୋନୀତ କରିଥିବାରୁ ତଦନ୍ତ ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭାରେ ବିରୋଧୀ ଦଳ ମମିତା ମେହେର ହତ୍ୟା ମାମଲାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଯୋଜନା କରିଛନ୍ତି । ତଦନ୍ତର ନିରପେକ୍ଷତା ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସେମାନଙ୍କର ମୁଖ୍ୟ ଏଜେଣ୍ଡା ଥିବା ବେଳେ ଆଜି ଏହି ମାମଲାରେ ହାଇକୋର୍ଟଙ୍କ ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।