ଭୁବନେଶ୍ୱର: ଚିଲିକାର ବାହୁବଳୀ ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି । ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ, ମାରପିଟ୍, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ପୁଲିସ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି । ପରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା । ଜାମିନ୍ ନାମଞ୍ଜୁର ପରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ପ୍ରିଜାଇଡିଂ ଅଫିସର ଜ୍ଞାନ ରଂଜନ ତ୍ରିପାଠୀଙ୍କ ଏତଲା ଆଧାରରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଗତକାଲି ବିଧାୟକ ଶ୍ରୀ ଜଗଦ୍ଦେବ ତାଙ୍କ ପତ୍ନୀଙ୍କ ସହିତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଭୋଟ ଦେବାକୁ ଯାଇଥିଲେ । କୌଣସି କାରଣକୁ ନେଇ ବୁଥ୍ ର ପ୍ରଥମ ପୋଲିଂ ଅଧିକାରୀଙ୍କ ସହିତ ବିଧାୟକଙ୍କର ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ବାହାରେ ଦୁଇଜଣ ବିରୋଧୀ ଯୁବକ ଶ୍ରୀ ଜଗଦ୍ଦେବଙ୍କୁ ଗାଳିଗୁଲଜ କରି କାହିଁକି ଧାଡ଼ିରେ ନ ଆସି ଆଗୁଆ ଭୋଟ୍ ଦେବେ ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହି ସମୟରେ ବିଧାନସଭାର ଇଭିଏମ୍ ତଳେ ପଡ଼ି ଭାଙ୍ଗି ଯାଇଥିଲା ।
ଇଭିଏମକୁ ବିଧାୟକ ଗୋଇଠା ମାରି ତଳେ ପକାଇ ଦେଇଥିବା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ ଆଧାରରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଶ୍ରୀ ଜଗଦ୍ଦେବଙ୍କୁ ବୋଲଗଡ଼ ଥାନାକୁ ନେଇଥିଲେ । ମାତ୍ର ବିଧାୟକ ଏବଂ ତାଙ୍କ ସମର୍ଥକମାନେ ଏଥିରେ ଉତକ୍ଷିପ୍ତ ହୋଇପଡ଼ିଥିଲେ । ସଂପୃକ୍ତ ବୁଥ୍ ର ସିସିଟିଭି ଯାଞ୍ଚ କରିବାକୁ ବିଧାୟକ ଅଡ଼ି ବସି ଥାନା ଆଗରେ ଧାରଣାରେ ବସିଥିଲେ । ବିଳମ୍ବିତ ରାତିରେ ଶ୍ରୀ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ରିଜର୍ଭ ପୁଲିସକୁ ଅଣାଯିବା ବାଟରେ ତାଙ୍କର ସମର୍ଥକ ପୁଲିସ ଗାଡ଼ି ଆଗରେ ଶୋଇ ଧାରଣା ଦେଇଥିଲେ ।