ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ୍ କରିଛନ୍ତି । ମାଟ୍ରିକ୍ ପାସ୍ ହାର ରହିଛି ୯୬.୦୭% । ମାଟ୍ରିକ୍ ସହ ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପୀରକ୍ଷା(ପ୍ରଥମ)ର ଫଳାଫଳ ପ୍ରକାଶ ପାଇଛି ।
ଚଳିତବର୍ଷ ପୁଅଙ୍କ ଅପେକ୍ଷା ଝିଅଙ୍କ ମାଟ୍ରିକ୍ ପାସ୍ ହାର ଅଧିକ ରହିଛି । ଝିଅଙ୍କ ପାସ୍ ହାର ୯୬.୭୩% ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୫.୩୯% । ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮% ଏବଂ ନୂଆପଡ଼ାରେ ସର୍ବନିମ୍ନ ୯୩.୯୧% ପିଲା ପାସ୍ କରିଛନ୍ତି ।
ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିନ ସାଢ଼େ ୧୨ଟା ୩୦ ପରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍ ରେଜିଷ୍ଟର(ନମ୍ବର) ସ୍କୁଲରୁ ମିଳିବ । ବିଦ୍ୟାଳୟର ମୁଖ୍ୟ/ ପ୍ରଧାନଶିକ୍ଷକମାନେ ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ଟାବୁଲେସନ୍ ରେଜିଷ୍ଟରକୁ ଡାଉନଲୋଡ୍ କରିପାରିବେ । ଚଳିତବର୍ଷ ପ୍ରଥମ କରି ବୋର୍ଡ ପକ୍ଷରୁ ଫଳ ପ୍ରକାଶ ଦିନ ଅର୍ଥାତ୍ ଆଜି ହିଁ ଛାତ୍ରଛାତ୍ରୀଙ୍କୁ ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ପ୍ରଦାନ ବ୍ୟବସ୍ଥା ହୋଇଛି । ଅପରାହ୍ନରୁ ଅନଲାଇନରେ ମାଟ୍ରିକ୍, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷାର ଡିଜିଟାଇଜ୍ ବୋର୍ଡ ସାର୍ଟିଫିକେଟ୍ ଉପଲବ୍ଧ ହେବ । ଏହି ଡିଜିଟାଇଜ୍ ସାର୍ଟିଫିକେଟ୍ ଛାତ୍ରଛାତ୍ରୀମାନେ ମୋବାଇଲ୍ ମାଧ୍ୟମରେ ମଧ୍ୟ ପାଇପାରିବେ । ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ ।