ଭୁୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର କ୍ରମାଗତ ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ଥିଲା । ଗତ ଦୁଇବର୍ଷ ଧରି ଇନକମ୍ ଟାକ୍ସ ରିଟର୍ଣ୍ଣରେ ଏହା ନିଜେ ଦର୍ଶାଇଛନ୍ତି । ମାତ୍ର କରୋନା ଭୂତାଣୁ ଗ୍ରାସ ବେଳକୁ ତାଙ୍କ ଆକାଉଣ୍ଟରେ ଟଙ୍କା ବର୍ଷିିଛି । ଏଇ ୪ ମାସ ଭିତରେ ତାଙ୍କର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ୨ କୋଟି ୪୮ ଲକ୍ଷ ଟଙ୍କା । ଗଂଜାମର ଜଣାଶୁଣା ମଦ ମାଫିଆ ସୂର୍ଯ୍ୟ ସାହୁ, ସୂର୍ଯ୍ୟଙ୍କ ସମ୍ପର୍କୀୟ ତଥା ମଦ ବ୍ୟବସାୟୀ ରବୀନ୍ଦ୍ର ସାହୁ, ବାଲି ମାଫିଆ ବୁଲୁ ଗୌଡ଼ ପ୍ରଭୃତିଙ୍କ ସୌଜନ୍ୟରୁ ଏହି ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଟାଟା ମୋଟର୍ସ ଏମଡି ପରିଚୟରେ ଲୋକଙ୍କୁ ଠକିଥିବା ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ କୁକର୍ମରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ଅଭିଯୋଗ ତାଙ୍କୁ ମହଙ୍ଗା ପଡ଼ିଛି । ଟାଟା ମୋଟର୍ସ କମ୍ପାନୀ ନାଁରେ ଫେକ୍ ସାଇଟ୍ ଏବଂ ଫେକ୍ ଇମେଲ୍ ତିଆରି କରି ଆକାଶ ଚାକିରି ବିଜ୍ଞାପନ ଏବଂ ଫେକ୍ ନିଯୁକ୍ତି ଦେଇଥିଲା । ଟାଟା ମୋଟର୍ସ ଏମଡି ପରିଚୟରେ ଚାର୍ଟର ଫ୍ଲାଇଟ୍ ବୁକ୍ କରି ଅୟସ କରୁଥିଲା । ଖୋଦ୍ ଟାଟା ମୋଟର୍ସ କମ୍ପାନୀ ପକ୍ଷରୁ ଏ ନେଇ ଆକାଶଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଧିକାରୀମାନେ ଆଜି ସଂଧ୍ୟାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହେପାଜତକୁ ନେଇଛନ୍ତି । ସିଆଇଡି କ୍ରାଇମବ୍ରାଞ୍ଚ ସାଇବର୍ କ୍ରାଇମ୍ ପିଏସ୍ କେସ୍ ନଂ ୨୬/୨୦୨୦ ରେ ତାଙ୍କୁ ପଚରାଉଚୁରା କରାଯାଇଥିଲା । ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ଭାବୀ ଜ୍ୱାଇଁଙ୍କ ଜାଲିଆତି କାରବାରରେ ପ୍ରଦୀପ ପାଣିଗ୍ରାହୀଙ୍କର ସଂପୃକ୍ତିର ଠୋସ୍ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଆକାଶ ପାଠକଙ୍କ ପକ୍ଷରୁ ବିଧାୟକ ଲୋକଙ୍କୁ ମିଥ୍ୟା ଚାକିରିର ପ୍ରଲୋଭନ ଦେଇ ଟଙ୍କା ଆଦାୟ କରୁଥିବାର ଯଥେଷ୍ଟ ପ୍ରମାଣ ମିଳିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆଇପିସି ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଏବଂ ଆଇଟି ଆକ୍ଟ ୨୦୦୦ ର ୬୬ ସି/୬୬ ଡି ଧାରାରେ ମାମଲା ରୁଜୁ ହୋଇଛି ।
ପ୍ରଦୀପଙ୍କ ପତ୍ନୀ ସୁଜାତା ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ଏକ ୧୦ ଜଣିଆ ଟିମ୍ ତାଙ୍କୁ ୟୁନିଟ୍-୬ସ୍ଥିତ ସରକାରୀ ବାସଭବନରୁ ଏକ ଅଜଣା ସ୍ଥାନକୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି । ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରି ଗଣମାଧ୍ୟମରେ ତମ୍ବିତୋଫାନ କରିଛନ୍ତି ।
ସୂଚନାଯୋଗ୍ୟ, ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ନିଜକୁ ସଚ୍ଚୋଟ ଓ ଜନସେବକ କହି ଗଣମାଧ୍ୟମ ଆଗରେ ଗଳା ଫଟାଇଥିଲେ । କୋଟି କୋଟି କଳାଟଙ୍କାରେ ବୁଡ଼ିଥିବା ପାଠକ ପରିବାରର ଭାବୀ ସମୁଦୀ, ଜ୍ୱାଇଁଙ୍କୁ କ୍ଲିନଚିଟ୍ ଦେଇଥିଲେ । କୌଣସି ଜାଲି ଓ ବେଆଇନ କାରବାରରେ ସେମାନଙ୍କ କାହାରି ସଂପୃକ୍ତି ନାହିଁ ବୋଲି ଛାତିରେ ହାତ ବାଡ଼େଇ କହିଥିଲେ । ପ୍ରମାଣ ଦେଇଦେଲେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଖୋଲା ଚାଲେଂଜ ଦେଇଥିଲେ ।
ତେବେ ସତୀତ୍ୱର ଡିଣ୍ଡିମ୍ ପିଟୁଥିବା ଏହି ନେତାଙ୍କର ଅସଲ ଚେହେରା ଅଢ଼େଇ ଦିନରେ ପଦାକୁ ଚାଲିଆସିଛି । ଗତ ୪ ମାସ ଭିତରେ ଅର୍ଥାତ ଅଗଷ୍ଟ ମାସରୁ ଅଦ୍ୟାବଧି ତାଙ୍କ ବ୍ରହ୍ମପୁରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟ୍ (୨୦୩୬୦୧୫୦୧୯୪) ରେ ଅଢ଼େଇ କୋଟି ଟଙ୍କା ଜମା ହୋଇଛି । କାହିଁକି ଏବଂ କେଉଁ ସୂତ୍ରରୁ ଏହି ବିପୁଳ ଟଙ୍କା ଆସିଛି ତାହା ସମସ୍ତଙ୍କ ସନ୍ଦେହ ବଢ଼ାଇଛି ।
ଏହି ସମୟରେ ପ୍ରଦୀପଙ୍କ ସଂପୃକ୍ତ ବ୍ୟାଙ୍କ ଆକାଉଣ୍ଟରେ ମଦ ବ୍ୟବସାୟୀ ରବୀନ୍ଦ୍ର ସାହୁ ଜମା କରିଛନ୍ତି ୭୫ ଲକ୍ଷ ଟଙ୍କା । ମଦ ମାଫିଆ ସୂର୍ଯ୍ୟ ସାହୁଙ୍କ ମାଲିକାନାରେ ଥିବା ସୂର୍ଯ୍ୟ ଫିଲିଂ ଷ୍ଟେସନ୍ ୪୦ ଲକ୍ଷ ଏବଂ ଗୁରୁମୂର୍ତ୍ତି ଅଏଲ୍ କମ୍ପାନୀ ୪୦ ଲକ୍ଷ ଟଙ୍କା ଲେଖାଏଁ ଜମା କରିଛନ୍ତି । ଏସ.କେ.ମହାରଣା ନାମକ ଜଣେ ବ୍ୟକ୍ତି ୨୫ ଲକ୍ଷ, କମ୍ବୁପାଣି ସାହୁ ୨୦ ଲକ୍ଷ ଟଙ୍କା, ଝୁନୁ ପାଣିଗ୍ରାହୀ ନାମକ ମହିଳା ୧୫ ଲକ୍ଷ ଟଙ୍କା ଜମା କରିଛନ୍ତି । ହେମନ୍ତ କୁମାର ରଥ, ସରୋଜ ମିଶ୍ର, ପ୍ରସନ୍ନ ଲେଙ୍କା ନାମଧାରୀ ବ୍ୟକ୍ତିମାନେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି ।
ଟାଟା ମୋଟର୍ସର ଜାଲ୍ ଏମଡି ପରିଚୟ ଦେଇ ଲୋକଙ୍କୁ ଚୂନ ମାରୁଥିବା ଆକାଶ ପାଠକ ମଧ୍ୟ ଭାବୀ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଜମା କରିଛନ୍ତି । ଭାବୀ ଜ୍ୱାଇଁ ଆକାଶଙ୍କ ସହ ଟଙ୍କା ଦେଣନେଣର ପ୍ରମାଣ ଏହି ବ୍ୟାଙ୍କ ଆକାଉଣ୍ଟରୁ ସ୍ପଷ୍ଟ ହୋଇଛି । ଆକାଶ ୧୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲା ବେଳେ ତାଙ୍କ ଆକାଉଣ୍ଟକୁ ୫୫ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟ୍ ରୁ ଟ୍ରାନସଫର୍ ହୋଇଛି ।
ଜଙ୍ଗଲୀ ବାବୁ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଟଙ୍କା କାରବାରର ଛାନଭିନ୍ କରୁଥିବା ତଦନ୍ତକାରୀ ସଂସ୍ଥା ହାତରେ ଏ ସମ୍ପର୍କିତ ବହୁ ଚାଞ୍ଚଲ୍ୟକର ତଥ୍ୟ ଲାଗିଥିବା ଜଣାପଡ଼ିଛି । ପ୍ରଦୀପଙ୍କ ଆଇସିଆଇସିଆଇ ବ୍ୟାଙ୍କ ଷ୍ଟେଟମେଣ୍ଟ ଆଜି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ହଇଚଇ ସୃଷ୍ଟି ହୋଇଛି । ବିଧାୟକଙ୍କର ଅସଲ ଚେହେରାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।
ପ୍ରଦୀପ ପାଣିଗ୍ରାହୀଙ୍କର କେବଳ ଏହି ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ନାହିଁ । ତାଙ୍କ ନାଁରେ ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ବ୍ୟାଙ୍କରେ ୯ଟି ଆକାଉଣ୍ଟ ଏବଂ ପତ୍ନୀ ସୁଜାତାଙ୍କ ନାଁରେ ୧୦ଟି ବ୍ୟାଙ୍କ ଆକାଉଣ୍ଟ୍ ରହିଛି । ଗୋଟିଏ ଆକାଉଣ୍ଟରେ ମାତ୍ର ୪ ମାସରେ ଅଢ଼େଇ କୋଟି ଟଙ୍କା ଜମା ହୋଇଥିବା ବେଳେ ଅନ୍ୟ ଆକାଉଣ୍ଟରେ କେତେ ଜମା ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ ।
ଅନ୍ୟପକ୍ଷରେ ପ୍ରଦୀପଙ୍କ ଆକାଉଣ୍ଟରେ ୪ ମାସରେ ଜମା ହୋଇଥିବା ଅଢ଼େଇ କୋଟି ଟଙ୍କା ଜମା ପଛରେ କୌଣସି ବେଆଇନ କାରବାର ନାହିଁ ବୋଲି ଉଭୟ ପତି, ପତ୍ନୀ ଦାବି କରିଛନ୍ତି । ଟଙ୍କା ଡିପୋଜିଟ୍ କରିଥିବା ବ୍ୟକ୍ତିମାନେ ତାଙ୍କର ବନ୍ଧୁ ଓ ସମ୍ପର୍କୀୟ ବୋଲି ସଫେଇ ଦେଇଛନ୍ତି ।