ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଢ଼ାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ପରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏହି ଯୋଜନା ସଫଳ ହେବ ବୋଲି କହିଥିଲେ । ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସାଧୁବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରକୁ ଯାଇ ମହାପ୍ରଭୁଙ୍କ ଆଶିର୍ବାଦ କାମନା କରିଥିଲେ । ସେଠାରେ ଉପସ୍ଥିତ ସେବାୟତମାନଙ୍କ ସହ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରିଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ନଗରୀ ଭୁବନେଶ୍ୱରର ଗାରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦେ୍ଦଶ୍ୟ ।
ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପରେ ବିନ୍ଦୁସାଗରର ପୁନରୁଦ୍ଧାର, ଇ-ଅଟୋ କାର୍ଯ୍ୟକ୍ରମ, ଅତ୍ୟାଧୁନିକ ପାର୍କିଂ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ. ଐତିହ୍ୟ ବ୍ୟାଖ୍ୟାୟନ କେନ୍ଦ୍ର ଆଦି ୯ଟି ଯୋଜନା ଅନ୍ତର୍ଭୁକ୍ତ ରହିଛି । ଗତବର୍ଷ ଡିସେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଘୋଷଣା କରିଥିଲେ । ଲକଡାଉନ୍ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ କିଛି ମାସ ପାଇଁ ବନ୍ଦ ରହିଥିଲେ ମଧ୍ୟ ଏବେ ତ୍ୱରିତ ବେଗରେ କାର୍ଯ୍ୟ ଚାଲିଛି । କିଛି ଦିନ ତଳେ ୫-ଟି ସଚିବ ଏବଂ ପୂର୍ତ୍ତ ସଚିବ ଏକାମ୍ରକ୍ଷେତ୍ର ଆସି କାର୍ଯ୍ୟର ଅଗ୍ରଗତି ଦେଖିଥିଲେ ।
ଆଜି ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଭୁବନେଶ୍ୱରର ତିନି ବିଧାୟକ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ବିଏମସି କମିଶନର ପ୍ରେମଚନ୍ଦ୍ର ଚୋ÷ଧୁରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।