ଭୁବନେଶ୍ୱର: ପୁଲିସ୍, ଆମ୍ବୁଲାନସ୍, ଦମକଳ ତଥା ମହିଳା ହେଲପ୍ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡ଼ିବନି । ୧୧୨ ନମ୍ବରକୁ ଡାଏଲ୍ କଲେ ଏସବୁ ଜରୁରୀ ସହାୟତା ମିଳିପାରିବ ।
ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଏହି ଗୋଟିଏ ନମ୍ବର ଜାରି ହେବ । ପୂର୍ବରୁ ବିଭିନ୍ନ ଜରୁରୀ ସେବା ପାଇଁ ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ନମ୍ବରକୁ ଡାଏଲ୍ କରିବାକୁ ପଡୁଥିଲା । ଏହାକୁ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ ରେ ପରିଣତ କରାଯାଇଛି । ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
୧୧୨ ଜରିଆରେ ସାଧାରଣ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ପାଇଁ ୧୦୯୮ ଟି ସରକାରୀ ପଦ ସୃଷ୍ଟି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦବୀଗୁଡ଼ିକୁ ଅନୁମୋଦନ କରିଛନ୍ତି । ସେଥିମଧ୍ୟରେ ଅଛନ୍ତି ୪ ଡିଏସପି, ୧୫୧ ସବଇନସପେକ୍ଟର, ୨୦୩ ସହକାରୀ ସବ ଇନସପେକ୍ଟର ଏବଂ ୭୪୦ କନେଷ୍ଟବଳ । ଏତଦବ୍ୟତୀତ ଆଉଟସୋର୍ସିଂ ଜରିଆରେ ୧୯୮ ଜଣ କଲ୍ ଟେକର୍ ଏକଜ୍ୟୁଟିଭ୍ ନିଯୁକ୍ତି ହେବେ । ୨୩୬ ଗାଡ଼ି ନିୟୋଜିତ ହେବେ ।
ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍ଧ ହେବା ଦ୍ୱାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୁଲିସ ସଫଳ ହେବ । ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।