ଭୁବନେଶ୍ୱର: ବିପୁଳ କଳାଟଙ୍କା ଓ ଠକେଇ ଅଭିଯୁକ୍ତ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ କଳା ସାମ୍ରାଜ୍ୟର ଛାନଭିନ୍ ଆରମ୍ଭ କରିଛି ଏସଆଇଟି । ଅଭୟଙ୍କ ଚାକିରି କାଳର ୭ଟି ଜାଗା ଉପରେ ଆଜି ଚଢ଼ଉ ହୋଇଥିବା ବେଳେ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଆକାଶ ପାଠକର ଅଧିକ ଜାଲିଆତି ଫର୍ଦ୍ଦ ଲାଗିଛି ଏସଆଇଟି ହାତରେ । ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଆକାଶ ଆକାଉଣ୍ଟରେ ସମୁଦାୟ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ଅଛି । ଭୁବନେଶ୍ୱର ଓ ପୁନେରେ ଥିବା ବିଭିନ୍ନ ବ୍ୟାଙ୍କରେ ଆକାଶ ଏହି ଟଙ୍କା ଜମା କରିଛନ୍ତି । ୯ କୋଟି ୪୮ ଲକ୍ଷ ଟଙ୍କା ନଗଦ ଜମା କରିଥିବା ବେଳେ ଟ୍ରାନସଫର୍ ଜରିଆରେ ୫ କୋଟି ୨୯ ଲକ୍ଷ ଟଙ୍କା ଜମା କରିଛନ୍ତି ।
ଆକାଶ ପାଠକ ବ୍ୟାଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେଉଁଠୁ ଆସିଲା ତାହାର ଖୋଳତାଡ଼ କରୁଛି ଏସଆଇଟି ଟିମ୍ । ନିଜକୁ ଟାଟା କମ୍ପାନୀର ଏମଡି ପରିଚୟରେ କେବଳ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ୬୮ ଜଣ ଯୁବକଙ୍କୁ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଆକାଶ ବ୍ୟବହାର କରୁଥିବା ସମସ୍ତ କମ୍ପୁ୍ୟଟର, ଲାପଟପ୍ ଏବଂ ମୋବାଇଲ୍ ର ତନାଘନା କରାଯାଉଛି । ସେଥିପାଇଁ ବୈଷୟିକ ଓ ଫରେନସିକ୍ ବିଶେଷଜ୍ଞଙ୍କ ସହାୟତା ଲୋଡାଯାଇଛି ।
ଲକଡାଉନ୍ ବେଳେ ଚାଟର୍ଡ ଫ୍ଲାଇଟ୍ ରେ ଦିଲ୍ଲୀ, ମୁମ୍ବାଇ ଓ ପୁନେ ବୁଲିଥିଲେ ପାଠକ ପରିବାର ଓ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର । ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ଏମଡି ର ଜାଲ୍ ପରିଚୟ ଦେଇ ବିମାନ ବୁକିଂ କରିଥିବାରୁ ଆଜି ସଂପୃକ୍ତ ଟ୍ରାଭେଲ୍ ଏଜେନ୍ସୀ ସ୍କାଏ କିଙ୍ଗ୍ କମ୍ପାନୀ ପକ୍ଷରୁ ପାଠକ ବାପା,ପୁଅଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦିଆଯାଇଛି । ଜୁନ୍ ରୁ ବିଭିନ୍ନ ସମୟରେ ୨.୭୮ କୋଟି ଟଙ୍କାର ଫ୍ଲାଇଟ୍ ବୁକ୍ କରିଥିଲେ । ଏ ବାବଦରେ ୨.୧୩ କୋଟି ଟଙ୍କା ଆକାଶ ଦେଇଥିବା ବେଳେ ୬୫.୧୬ ଲକ୍ଷ ଟଙ୍କା ବକେୟା ରଖିଛନ୍ତି । ସ୍କାଏ କିଙ୍ଗ୍ କମ୍ପାନୀ ମ୍ୟାନେଜିଂ ପାର୍ଟନର୍ ପ୍ରଭାସ ଚୌଧୁରୀଙ୍କ ଏତଲାକ୍ରମେ ଖାରବେଳନଗର ଥାନା ପୁଲିସ ପାଠକ ବାପା,ପୁଅଙ୍କ ବିରୋଧରେ ଆଇପିସି ଧାରା ୪୧୯, ୪୨୦, ୪୬୮, ୪୭୧, ୭୭୬ ରେ ମାମଲା ରୁଜୁ କରିଛି ।
ସେପଟେ ଅଭୟ ପାଠକଙ୍କ ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, କୋରାପୁଟ ଏବଂ ବ୍ରହ୍ମପୁର ଚାକିରି କାଳରେ ଦୁର୍ନୀତିରେ ତନାଘନା କରୁଛି ଏସଆଇଟି । ଏଥିସହ ପିସିସିଏଫ୍ ଅଫିସରେ ମଧ୍ୟ ଖୋଳତାଡ଼ କରୁଛି । ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ବ୍ରହ୍ମପୁର, ୨୦୦୮ ରୁ ୨୦୧୩ ଯାଏଁ ଓଏଫଡିସି ଜିଏମ୍, ୨୦୧୪ ରୁ ୨୦୧୭ ଯାଏଁ ବଲାଙ୍ଗୀର ଡିଏଫଓ ଥିବା ବେଳେ ବ୍ୟାପକ ଦୁର୍ନୀତି କରିଥିବା ଏସଆଇଟି ନଜରକୁ ଆସିଛି । ସଂପୃକ୍ତ ଅଫିସ, ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସ ତନାଘନା ଚାଲିଛି । ଅତିରିକ୍ତ ପିସିସିଏଫ୍ ଭାବେ ବନୀକରଣ ଦାୟିତ୍ୱରେ ଥାଇ ଅଭୟ ପାଠକ କୋଟି କୋଟି ଟଙ୍କା ହଡ଼ପ କରିଥିବାର ଗଦା ଗଦା ଅଭିଯୋଗକୁ ମଧ୍ୟ ଏକାସାଙ୍ଗେ ଛାନଭିନ୍ କରୁଛି ଏସଆଇଟି ।
ଇତିମଧ୍ୟରେ ଏସଆଇଟି ନଜରକୁ ଆଉ ଏକ ରୋଚକ ସୁରାକ୍ ଆସିଛି । ଏକ ସୂତ୍ରର ସୂଚନା ଅନୁଯାୟୀ, କଟକ ରୋଡରେ ଥିବା ଏକ ହୋଟେଲ୍ ରେ ପାଠକ ଓ ତାଙ୍କର ଭାବୀ ସମ୍ପର୍କୀୟଙ୍କ ବିପୁଳ ଟଙ୍କା ଲାଗିଛି । ବ୍ରହ୍ମପୁରର ସାହୁ ସାଙ୍ଗିଆଧାରୀ ଜଣେ ବ୍ୟକ୍ତି ହେଉଛନ୍ତି ହୋଟେଲ୍ ର ମାଲିକ । ଶ୍ରୀ ସାହୁ ୨୫୦ କୋଟିର ଜାତୀୟ ରାଜପଥ ନିର୍ମାଣ ଟେଣ୍ଡର କାମ ମଧ୍ୟ କରୁଛନ୍ତି ।
ସେହିଭଳି ଲକଡାଉନ୍ ବେଳେ ଭିପୁଲ୍ ଗାର୍ଡେନ୍ ସ୍ଥିତି ପାଠକଙ୍କ ବାସଭବନରୁ ଏକ ଟଙ୍କା ଭର୍ତ୍ତି ଅଖା ଟଙ୍କପାଣି ରୋଡସ୍ଥିତ ଏକ ଘରକୁ ଆସିଥିବା ଏହି ସୂତ୍ରରୁ ଜଣାପଡ଼ିଛି । ଏହି ବିପୁଳ ଟଙ୍କା କେଉଁଠୁ ଆସିଲା ତାହାର ଚେର୍ ଖୋଜା ଆରମ୍ଭ ହୋଇଛି ।