ଭୁବନେଶ୍ୱର: କରୋନା ଲକଡାଉନ୍ ରେ ଜୀବିକା ମାଡ଼ ଖାଇଥିବା ସହରାଞ୍ଚଳ ଉଠାଦୋକାନୀ(ଷ୍ଟ୍ରିଟ୍ ଭେଣ୍ଡର)ଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଥିକ ଦୃଷ୍ଟିରୁ ବିଶେଷ କ୍ଷତିଗ୍ରସ୍ତ ଏମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ୍ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି । ଏହାଦ୍ୱାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି ।
କୋଭିଡ ଲହର ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ୍ ଯୋଗୁଁ ସହରାଞ୍ଚଳର ଉଠାଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ସହାୟତା ଘୋଷଣା କରିଛନ୍ତି ।
ତେବେ ଏହି ସହାୟତା କେବଳ ପଂଜୀକୃତ ଉଠାଦୋକାନୀଙ୍କୁ ମିଳିବ ନା ସେଥିରେ ଅଣପଂଜୀକୃତ ଉଠାଦୋକାନୀଙ୍କ ଭାଗ ଅଛି ତାହା ସ୍ପଷ୍ଟ ହୋଇନାହିଁ । ସହରାଞ୍ଚଳରେ ଅନେକ ଛୋଟ ଛୋଟ ଅଣପଂଜୀକୃତ ଉଠାଦୋକାନୀ ଅଛନ୍ତି ଯେଉଁମାନେ ଜୀବିକା ହରାଇ ସରକାରଙ୍କ ସହାୟତାକୁ ଚାହିଁ ବସିଛନ୍ତି ।
ସୂଚନାଥାଉକି, ଗତବର୍ଷ ମାର୍ଚ୍ଚରେ ପ୍ରଥମ ଲହର କରୋନା ଲକଡାଉନ୍ ବେଳେ ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୂପ ପ୍ୟାକେଜ୍ ଘୋଷଣା କରିଥିଲେ । ୧୧୪ ଟି ଯାକ ପୌରାଞ୍ଚଳରେ ପଂଜିକୃତ ୬୫ ହଜାର ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ ।