ଭୁବନେଶ୍ୱର: ଏସୀୟ ହକି ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଟିମ୍ ର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମଗ୍ର ଭାରତୀୟ ଯୁବବର୍ଗଙ୍କ ପାଇଁ ସେ ପ୍ରେରଣା ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏସୀୟ ହକିରେ ଉଲ୍ଲେଖନୀୟ ସଫଳତା ପାଇଥିବା ଅମିତ ରୋହିଦାସ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଆମ ରାଜ୍ୟ ତଥା ରାଜ୍ୟ ବାହାରେ ଆଶାୟୀ ଆଥଲେଟ୍ ଙ୍କ ପାଇଁ ସେ ଆଶା ଓ ଗର୍ବର ପ୍ରତୀକ ହୋଇଛନ୍ତି । ତାଙ୍କ ସଫଳତାର କାହାଣୀ ପ୍ରତି ଭାରତୀୟଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିବା ସହ ଅମିତଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ।
ସୁନ୍ଦରଗଡ଼ ମାଟିର ପୁଅ ଅମିତ ରୋହିଦାସ ଗତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇ ଭାରତ ପାଇଁ ବ୍ରୋଞ୍ଜ ମେଡାଲ୍ ଆଣିଥିଲେ । ଏସୀୟ କ୍ରୀଡ଼ାରେ ଓଡ଼ିଆ ପୁ୍ରଅ କିଶୋର ଜେନା ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତି ଓଡ଼ିଶା ତଥା ଭାରତ ପାଇଁ ସୁନାମ ଆଣିଥିବା ବେଳେ ଦ୍ୱିତୀୟ ଓଡ଼ିଆ ଭାବେ ଅମିତ ରୋହିଦାସ ହକିରେ ସ୍ୱର୍ଣ୍ଣପଦକ ଜିତି ଓଡ଼ିଶା ମାଟିକୁ ଗୌରବାନ୍ୱିତ କରିଛନ୍ତି । ପୂର୍ବରୁ କିଶୋର ଜେନାଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଢ଼କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ, ଭାରତୀୟ ହକିକୁ ନୂଆ ଦିଶା ଦେବାରେ ଓଡ଼ିଶା ସରକାରଙ୍କ ଅବଦାନ ରହିଛି । ୨୦୧୮ ରେ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରାୟୋଜିତ କରିଥିଲେ । ସେବେଠାରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଦଳର ଉତଥାନ ଘଟି ଚାଲିଛି । ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ଜିତିଥିବା ବେଳେ ଏବେ ହାଙ୍ଗଝୌ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ଦଳ । ଗତକାଲି ଭାରତୀୟ ଦଳ ସ୍ୱର୍ଣ୍ଣପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଉଲ୍ଲସିତ ହୋଇପଡ଼ିଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।