ଭୁବନେଶ୍ୱର: ପୁରୀ ଜିଲ୍ଲାର ଚାଷୀମାନଙ୍କ ପାଇଁ ଆଜି କାଳିଆ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୧-୨୨ ରବି ଋତୁ ପାଇଁ ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୨ ହଜାର ଟଙ୍କା ଲେଖାଏଁ ସହାୟତା ପାଇବେ । ଏଥିପାଇଁ ୩୩.୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭,୧୨,୯୪୧ ଜଣ ଚାଷୀଙ୍କୁ ୭୪୨.୫୮ କୋଟି ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା ।
ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ଯ୍ୟ କରିପାରୁଛନ୍ତି ।
ଚାଷୀମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇପାରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।