ଭୁବନେଶ୍ୱର: ବିଜେଡ଼ିରୁ ୪ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ଦଳ ଛାଡ଼ି ଦେଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି ।
୨୦୦୦ ମସିହାରୁ କ୍ରମାଗତ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସଞ୍ଜୀବ ସାହୁ । ୨ ଥର ବୀରମହାରାଜପୁର ଏବଂ ୨ ଥର ଆଠମଲ୍ଲିକରୁ ସେ ଥିଲେ ବିଧାୟକ । ତେବେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା । ପରବର୍ତ୍ତୀ ସମୟରେ ଦଳୀୟ ପଦପଦବୀ କିମ୍ବା କୌଣସି ଦାୟିତ୍ୱ ମଧ୍ୟ ଦେଇ ନ ଥିଲା । ଦଳରେ ଅଲୋଡ଼ା ହୋଇଥିବାରୁ ଶ୍ରୀ ସାହୁ ଅପମାନିତ ମନେ କରିଛନ୍ତି । ଆଉ ସେହି ରାଗରେ ଆଜି ଦଳ ଛାଡ଼ିଛନ୍ତି ।
ଆଗକୁ କେଉଁ ଦଳରେ ଯୋଗଦେବେ ଶ୍ରୀ ସାହୁ ଜଣାଇ ନ ଥିଲେ ମଧ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନ ସକ୍ରିୟ ରହିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପକ୍ଷରେ ସେ ବିଜେପିରେ ଯୋଗଦେବେ ବୋଲି ତାଙ୍କ ସମର୍ଥକ ମହଲରୁ ସୂଚନା ମିଳିଛି । ବିଜେପି ସହିତ ତାଙ୍କର କଥାବାର୍ତ୍ତା ସରିଥିବା ସମର୍ଥକଙ୍କଠାରୁ ଜଣାପଡ଼ିଛି ।