ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋର୍ସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାରିଶ୍ରମିକରେ ୨୫ % ବୃଦ୍ଧି ହୋଇଛି । ଦୀପାବଳୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ ଇ.ଏସ୍.ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ। ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏତଦ୍ବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।