ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ପୂର୍ବକ ଅକ୍ଟୋବର ୨ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସେବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ସମାଜସେବା, ସଚେତନତା ତଥା ରକ୍ତଦାନଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଏହି ଆହ୍ୱାନକ୍ରମରେ ଓଡ଼ିଶା-ମୋ ପରିବାର ଦ୍ୱାରା ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଥିଲା । ଏହି ଅଭିଯାନ ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ମାସେବ୍ୟାପୀ ଚାଲୁରହିଥିଲା । ଇତିମଧ୍ୟରେ ଅକ୍ଟୋବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ସାମାଜିକ ପ୍ରତିବଦ୍ଧତାର ଆହ୍ୱାନରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବାପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା।
ରକ୍ତଦାନ ଶିବିର ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଓଡ଼ିଶା- ମୋ ପରିବାର ତରଫରୁ କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଯୁବ, ଛାତ୍ର, ମହିଳା ଓ ନିର୍ବାଚିତ ପ୍ରତିନିଧି ତଥା କର୍ମକର୍ତ୍ତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏପରିକି ଗାଁ ଗହଳି, ସହର, ବସ୍ତିର ଯୁବକ ଯୁବତୀ ଏବଂ ସ୍ୱେଚ୍ଛାସେବୀମାନେ ସ୍ୱତଃପ୍ରବୃତ୍ତ ଭାବେ ଶିବିରରେ ପହଞ୍ଚି ରକ୍ତଦାନ କରିଥିଲେ। ଫଳରେ ଏହି ଗୋଟିଏ ମାସରେ ରେକର୍ଡ଼ ସଂଖ୍ୟକ ୨୩ ହଜାରରୁ ଊର୍ଦ୍ଧ୍ୱ ରକ୍ତ ସଂଗୃହିତ ହୋଇଥିଲା । କୌଣସି ଗୋଟିଏ ମାସରେ ଏତେ ସଂଖ୍ୟକ ରକ୍ତ ସଂଗୃହିତ ହେବା ଏକ ସର୍ବକାଳୀନ ରେକର୍ଡ଼ ଅଟେ ।
ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏକି ଓଡ଼ିଶା-ମୋ ପରିବାର ଦିଗଦର୍ଶକ, ତାଙ୍କ ଆହ୍ୱାନକ୍ରମେ ଓଡ଼ିଶାରେ ରକ୍ତାଭାବ ପୂରଣ ପାଇଁ ଏକ ସମର୍ପିତ ଉପହାର ବୋଲି ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ତରଫରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ଜିଲ୍ଲା ଗୁଡ଼ିକ ମଧ୍ୟରେ ପ୍ରଥମ ୫ଟି ଜିଲ୍ଲା ଯଥା କଟକରୁ ସର୍ବାଧିକ ୫୦୫୩ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲା ବେଳେ କେନ୍ଦୁଝରରୁ ୨୦୪୩, ଗଞ୍ଜାମରୁ ୧୮୪୩, ଯାଜପୁରରୁ ୧୭୯୮ଏବଂ ବାଲେଶ୍ୱରରୁ ୧୭୬୭ ୟୁନିଟ୍ ସଂଗ୍ରହ ଉଲ୍ଲେଖନୀୟ । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା।
Continue Reading