ଭୁବନେଶ୍ୱର: ଟୋକିଓ ଅଲମ୍ପିକସ ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ସ୍ଵର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା , ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପଷରୁ ଦିଆଯିବ । ଏହାସହିତ ଅଲମ୍ପିକସ ପାଇଁ ଯୋଗ୍ୟତା ହାସଲ କରିଥିବା ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ।
ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ଏହି ଅବସରରେ ଅଲମ୍ପିୟାନ ଦୁତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନେ ଓଡିଶାର ଯୁବ ସମାଜ ପାଇଁ ରୋଲ ମଡେଲ ପାଲଟିଯାଇଛ । ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ । କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ତୁମେମାନେ ନିଶ୍ଚୟ ପଦକ ଜିତିବ ବୋଲି ମୁଁ ଆଶା କରେ ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲମ୍ପିକ ରେ ସେମାନଙ୍କ ସଫଳତା କ୍ରୀଡା କ୍ଷେତ୍ରରେ ଓଡିଶାକୁ ଗୌରବ ମଣ୍ଡିତ କରିବ ବୋଲି ଆଶା ପ୍ରକାଶ କରିଥିଲେ ।
ଏହି ଅବସରରେ ସମସ୍ତ ଖେଳାଳି ବ୍ୟକ୍ତିଗତ ଭାବରେ ସେମାନଙ୍କର ମତାମତ ଦେଇ ଅଲମ୍ପିକରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ।
ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲମ୍ପିକସ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ ।
କ୍ରୀଡା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।