ଭୁବନେଶ୍ୱର: ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ପାଇଁ ରିଲିଫ୍ ଦିଆଯିବ । ଜଳବନ୍ଦୀରେ ଥିବା ୧୨୮ ଗାଁର ସମସ୍ତ ପରିବାର ଏହି ରିଲିଫ୍ ପାଇବେ । ଆଜି ସଂଧ୍ୟାରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏଥିସହ ଆସନ୍ତା ୨୪ ଘଣ୍ଟାରେ ବାତ୍ୟା କ୍ଷତିଗ୍ରସ୍ତ ମୁଖ୍ୟ ରାସ୍ତାଗୁଡ଼ିକର ମରାମତି ଏବଂ ୮୦% ବିଜୁଳି ଯୋଗାଣ କାର୍ଯ୍ୟ ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟା ‘ୟାସ୍’ ର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସବୁ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ଗୋଷ୍ଠୀ ସଂଗଠନ ଏବଂ ପୁଲିସକୁ ଅଭିନ୍ଦନ ଜଣାଇ ସେମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାବାସୀଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏକ ପ୍ରେସ୍ ମିଟ୍ ରେ କହିଛନ୍ତି ଯେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରିତ ବେଗରେ ଆଗେଇ ଚାଲିଛି । ସମୁଦ୍ରରେ ୪ ମିଟର ଉଚ୍ଚାରେ ଜୁଆର ଆସିବାରୁ ବ୍ୟାପକ କ୍ଷତି ହୋଇଛି । ବାଲେଶ୍ୱରରେ ୮୪ ଗାଁ ଏବଂ ଭଦ୍ରକରେ ୪୪ ଗାଁ ଜଳମଗ୍ନ ହୋଇଛି । ତେବେ କ୍ଷୟକ୍ଷତି ଆକଳନ ପାଇଁ ୪୮ରୁ ୭୨ ଘଣ୍ଟା ଦରକାର ବୋଲି ସେ କହିଛନ୍ତି ।
ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ, ବିଜୁଳି ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜୋରସୋର ଚାଲିଛି । ପ୍ରଭାବିତ ଲୋକଙ୍କୁ ଜେନେରେଟର ମାଧ୍ୟମରେ ପାନୀୟଜଳ ଯୋଗାଯାଉଛି । ସବୁ ଜାଗାରେ ପଲିଥିନ୍ ମହଜୁଦ ଅଛି । ସବୁ ଠିକଠାକ୍ ହେବାକୁ ସମୟ ଲାଗିବ । ଅନ୍ୟପକ୍ଷରେ ବାତ୍ୟାରେ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଏସଆରସି କହିଛନ୍ତି ।
ଗ୍ରାଉଣ୍ଡ ଜିରୋରୁ ବବିଙ୍କ ପରିଚାଳନା
ବାତ୍ୟା ପୂର୍ବରୁ ପ୍ରସ୍ତୁତି ଏବଂ ବାତ୍ୟା ପରେ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟରେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କ କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଇଛି । ଗ୍ରାଉଣ୍ଡ ଜିରୋରେ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ଏବଂ ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି ବବି ଏବଂ ତାଙ୍କ ଟିମ୍ । ଆଜି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପରେ ବାଲେଶ୍ୱରରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଥିଲେ । ବବିଙ୍କ ସାଙ୍ଗରେ ଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ବବିଙ୍କ ପ୍ରତ୍ୟକ୍ଷତ୍ତ ତ୍ତ୍ୱାବଧାନରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଧାୟକମାନେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ମଧ୍ୟ ଏହି କାର୍ଯ୍ୟରେ ଲଗାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ କୌଣସି ଜାଗାରେ ଯେଭଳି ତ୍ରୁଟି ବିଚ୍ୟୁତି ନରହେ ସେଥିପ୍ରତି ଧ୍ୟାନ ଦେବାକୁ ବବି ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।