ଭୁୁବନେଶ୍ୱର: ବାଲେଶ୍ୱରଠାରୁ ୨୦ କିମି ଦକ୍ଷିଣରେ ଆଜି ଦିନ ସାଢ଼େ ୧୦ରୁ ସାଢ଼େ ୧୧ ମଧ୍ୟରେ ସ୍ଥଳଭାଗ ଛୁଇଁ ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ୟାସ’ । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଉ କିଛି ଘଣ୍ଟା ପରେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିବ । ସେଠାରେ ୧୦୦ରୁ ୧୧୦ କିମି ବେଗରେ ତାଣ୍ଡବ ରଚିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଆସନ୍ତାକାଲି ଝାଡ଼ଖଣ୍ଡ ପଳେଇବ । ଲ୍ୟାଣ୍ଡଫଲ୍ ବେଳେ ୧୩୦ ରୁ ୧୪୦ କିମି ବେଗରେ ପବନ ବହିଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୩ରୁ ୪ ଘଣ୍ଟା ଯାଏଁ ଭଦ୍ରକ ଓ ବାଲେଶ୍ୱର ଉପକୂଳରେ ୨ ମିଟର ଉଚ୍ଚତାରେ ସମୁଦ୍ର ଜୁଆର ରହିବ ବୋଲି କୁହାଯାଇଛି ।
ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଥିବା ପ୍ରାଥମିକ ସୂଚନା ଆସିଛି । ତେବେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି, ୪ ମିଟର ଉଚ୍ଚତାରେ ଜୁଆର ମାଡ଼ିବା ଯୋଗୁଁ ବହୁତ ଗାଁରେ ପାଣି ପଶି ଘର ଭାଙ୍ଗିଛି । ଅନେକ ଜାଗାରେ ଅସମ୍ଭବ ଭାବେ ଗଛ ଭାଙ୍ଗିଛି । ନୀଳଗିରିରେ ବ୍ୟାପକ ଗଛ ଭାଙ୍ଗିଛି । ତେବେ ବିଜୁଳି ଖୁଣ୍ଟ ଓ ଟେଲିଫୋନ୍ ଟାୱାର୍ ବିଶେଷ କ୍ଷତି ହୋଇନାହିଁ । ଦୁଇଟି ଜାଗାରେ ଗଛପଡ଼ି ଦୁଇଜଣଙ୍କର ମୃତ୍ୟୁ ଅଭିଯୋଗ ଆସିଛି ।
ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ସେଠାରେ ଏବେ ବର୍ଷା ପବନ ସେଭଳି ନ ଥିଲେ ମଧ୍ୟ ସଂଧ୍ୟା ପରେ ୧୦୦ରୁ ୧୧୦ କିମି ବେଗରେ ପବନ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସୁରକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ଏବଂ ଏହି ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି ।