ଭୁୁବନେଶ୍ୱର: ତାଳଚେର ମେଡିକାଲ୍ କଲେଜ ଚାଲୁ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଂଜୁର କରିଛନ୍ତି । ମେଡିକାଲ୍ କଲେଜ ସ୍ଥାପନ ଓ ପରିଚାଳନା ଅର୍ଥ ମହାନଦୀ କୋଲଡ ଫିଲଡ୍(ଏମସିଏଲ) ଦେବ ଏବଂ ରାଜ୍ୟ ସରକାର ଏହାକୁ ପରିଚାଳନା କରିବେ । ଅନୁଗୁଳ ଏବଂ ତତସଂଲଗ୍ନ ଅଞ୍ଚଳରେ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।
ତାଳଚେରଠାରେ ସ୍ଥାପନ ହୋଇଥିବା ଏହି ମେଡିକାଲ୍ କଲେଜର ନାଁ ହେଉଛି ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସ୍ ଆଣ୍ଡ ରିସର୍ଚ୍ଚ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୨୦ ଏକର ଜାଗା ଉପରେ ଏମସିଏଲ୍ ଏହାର ନିର୍ମାଣ କରିଛି । ଏହି ମେଡିକାଲ୍ କଲେଜରେ ପ୍ରତିବର୍ଷ ୧୦୦ ଛାତ୍ରଛାତ୍ରୀ ନାମ ଲେଖାଇବେ । ଏବଂ ସେଥିରେ ୫୦୦ ଶଯ୍ୟାର ହସ୍ପିଟାଲ୍ ରହିବ ।
ତାଳଚେରଠାରେ ଉକ୍ତ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ କୁ ପିପିପି ମୋଡ୍ ରେ ଚଳାଇବା ପାଇଁ ଏମସିଏଲ୍ ପ୍ରଥମେ ଉଦ୍ୟମ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେବା ପରେ ଏମସିଏଲ୍ ରାଜ୍ୟ ସରକାରଙ୍କୁ ଏହାର ପରିଚାଳନାଭାର ନେବା ପାଇଁ ପ୍ରସ୍ତାବ ପଠାଇଥିଲା ।