ଭୁବନେଶ୍ୱର: ଓଡ଼ିଶାରୁ ୩ ଟି ରାଜ୍ୟସଭା ଆସନ ସମେତ ସମୁଦାୟ ୧୫ ରାଜ୍ୟର ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ମେ’ ୨୪ ରୁ ୩୧ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ ଏବଂ ଆବଶ୍ୟକ ପଡ଼ିଲେ ଜୁନ୍ ୧୦ ତାରିଖରେ ନିର୍ବାଚନ ହେବ ।
ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ମେ’ ୨୪ ରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ମେ’ ୩୧ ତାରିଖ ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ ହେବ । ଜୁନ୍ ୧ ତାରିଖରେ ମନୋନୟନପତ୍ର ଯାଞ୍ଚହେବ ଏବଂ ୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର ସମୟ ରହିବ । ଆବଶ୍ୟକ ହେଲେ ଜୁନ୍ ୧୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୯ ରୁ ଅପରାହ୍ନ ୪ଟା ଯାଏ ଭୋଟଗ୍ରହଣ ହେବ ।
ଜୁନ୍ ୨୧ ରୁ ଅଗଷ୍ଟ ୧ ମଧ୍ୟରେ କାର୍ଯ୍ୟକାଳ ସରୁଥିବା ସାଂସଦଙ୍କ ଆସନ ପାଇଁ ଏହି ନିର୍ବାଚନ ହେବ । ଓଡ଼ିଶାରୁ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ଡକ୍ଟର ସସ୍ମିତ୍ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ ରେ ସରୁଥିବାରୁ ସେମାନଙ୍କ ଜାଗାରେ ତିନି ଜଣ ରାଜ୍ୟସଭା ଯିବେ ।
ଉତ୍ତରପ୍ରଦେଶରୁ ସର୍ବାଧିକ ୧୧ ଆସନ ପାଇଁ ନିର୍ବାଚନ ହେବ । ମହାରାଷ୍ଟ୍ର, ତାମିଲନାଡୁରୁ ୬ ଟି ଲେଖାଏଁ ଆସନ, ବିହାର ଏବଂ ଆନ୍ଧ୍ରପ୍ରଦେଶରୁ ୫ ଟି ଲେଖାଏଁ ଆସନ, କର୍ଣ୍ଣାଟକ ଏବଂ ରାଜସ୍ଥାନରୁ ୪ ଟି ଲେଖାଏଁ ଆସନ, ଓଡ଼ିଶା ଏବଂ ମଧ୍ୟପ୍ରଦେଶରୁ ୩ ଟି ଲେଖାଏଁ ଆସନ, ପଞ୍ଜାବ, ଝାରଖଣ୍ଡ, ହରିଆନା, ତେଲେଙ୍ଗାନାରୁ ୨ ଟି ଲେଖାଏଁ ଆସନ ଏବଂ ଉତ୍ତରାଖଣ୍ଡରୁ ଗୋଟିଏ ଆସନ ପାଇଁ ନିର୍ବାଚନ ହେବ ।